STORYMIRROR

Upendra prasad Mahala

Inspirational Others

3  

Upendra prasad Mahala

Inspirational Others

ଜୀବନ୍ତ କିମ୍ବଦନ୍ତୀ

ଜୀବନ୍ତ କିମ୍ବଦନ୍ତୀ

2 mins
236


ଗାଁ ମାଟିର ଅତୀତ, ହସକାନ୍ଦ
ଓ ପରିବର୍ତ୍ତନର ମୂକସାକ୍ଷୀ
ସେ ଏକ ଜୀବନ୍ତ କିମ୍ବଦନ୍ତୀ,
ପ୍ରକୃତିର ଅମୂଲ୍ୟ ବରଦାନ
ଅଶ୍ବସ୍ତ ବୃକ୍ଷ ଦେବତା।


କାହିଁ କେଉଁ କାଳରୁ ଗାଁ ମୁଣ୍ଡକୁ
ଜଗିରହି ରାସ୍ତାକଡରେ ଶୀତଳ
ଛାୟା ବିତରୁଛି, କଳନା ନାହିଁ।
ନିଛାଟିଆ ଖରା ବେଳେ ପବନ
ବହିଲେ ପତ୍ରରୁ ଶୁଭେ ଝଣଝଣ
ଶବ୍ଦ, ଡାଳରେ ବସି ଚଢେଇ
ଦଳ ବୋଲନ୍ତି ସୁରିଲା ଗୀତ
ରାତିରେ ପାଲଟେ ଏକ ଅଜଣା
ଭୟର ରୂପକଳ୍ପ, ଯେଉଁଠି
ଅଶରିରୀ ଅସ୍ପଷ୍ଟ ଛାଇଟିଏ
ଗଛତଳ ରାସ୍ତାକୁ ଦୁଇଗୋଡ
ଲମ୍ବାଇ ବସି ଥାଏ, ଯାହାକୁ
ଡରି କେହି ସାହସରେ ପଶି
ପାରନ୍ତିନି ଗାଁ ମଝିକୁ।


କେହି କେହି ଏହି ବୁଢା ଗଛକୁ
ଦେବତା ଭାବି ପୂଜା କରିନ୍ତି
ମୂଳରେ ପାଣି ଦେଇ ଯାଅନ୍ତି।
କସି ଡାଳରୁ ଦାନ୍ତକାଠି ଭାଂଗି
ସବୁଜ ପତ୍ର ତୋଳି ନିଅନ୍ତି
ଘରେ ପୂଜା କାର୍ଯ୍ୟ ଲାଗି ।
ସନ୍ତାନକାମୀ ଦମ୍ପତି ମାନସିକ
ରଖି ବରଅଶ୍ବସ୍ତ ଗଛକୁ ବାହା
ଦିଅନ୍ତି ପାରମ୍ପରିକ ରୀତିରେ।
ବରଗଛ ହୁଏ କନିଆ଼, ଅଶ୍ବସ୍ତ
ହୁଏ ବର । ତେଲିଂଗି, ମହୁରି,
ନାଗରା ବାଜେ, ଗାଁ ମାଟିରେ
ବୁଣିପଡେ ସଂସ୍କୃତିର ମହକ।
ସାମାଜିକ ରୀତିରେ ପରସି
ଦିଆଯାଏ ପ୍ରୀତି ଭୋଜନ ।


କେହି କେହି କହନ୍ତି ଅଶ୍ବସ୍ତ ବୃକ୍ଷ
ପିତୃପୁରୁଷଙ୍କ ଆତ୍ମାର ବାସସ୍ଥଳୀ।
ସେମାନେ ଜାଣନ୍ତିନି ପ୍ରକୃତିର
ନିଆରା ବରଦାନ ଏହି ବୃକ୍ଷ
ଯିଏ ଅହରହ ଜୀବନ ଲାଗି
ଅମ୍ଳଯାନ ପୋଷକ ଯୋଗାଏ ।
ପତ୍ର, ଫୁଲ, ଫଳ,ଛେଲିରୁ
ମିଳେ ପୀତ,କାଶ, କଫ, ଵାତ
ଭଳି ରୋଗର ଅମୋଘ ନିଦାନ।
ସେମାନେ ଜାଣନ୍ତିନି ଏହି ବୃକ୍ଷ
ଏକ 'ବୋଧିଦ୍ରୁମ' ଯାହା ତଳେ
ବାରବର୍ଷ ତପସ୍ୟା କରି ସିଦ୍ଧାର୍ଥ
ପାଲଟିଥିଲେ ଗୌତମ ବୁଦ୍ଧ ।


ବ୍ରହ୍ମପୂରାଣ କହେ ସ୍ବୟଂ ବିଷ୍ଣୁ
ଅଶ୍ବସ୍ତ ବୃକ୍ଷ ତଳେ ଜନ୍ମିଥିଲେ,
ସେଦିନୁ ଏ ବୃକ୍ଷ ତାଙ୍କ ନିବାସ।
ବୃକ୍ଷ ଆମର ବଡ଼ ହିତାକାଙକ୍ଷୀ
ବନ୍ଧୁ, ସବୁ ଦିଏ କିଛି ମାଗେନି
ଆକାଶରୁ ଡାକି ଆଣେ ବର୍ଷାକୁ
ମାଟିରେ ଭରିଦିଏ ସବୁଜିମା ।
ଗାଁ ମୁଣ୍ଡ ଅଶ୍ବସ୍ତ ଗଛ ଦେଖୁଥାଏ
ମଣିଷର ବିକାଶ ଓ ଜୀବନଧାରା
ରାତି ଅନ୍ଧାର ବେଳେ ବାଦୁଡି ଭଳି
ଅଜଣା ଭୟ ଓହଳୁଥାଏ ଡାଳରେ।
କେହି କେବେ ଦେଖି ନାହାନ୍ତି ସେ
ଛାଇକୁ ଯେ' ଗୋଡ ଲମ୍ବାଇ ବସେ।


ଏ ବୃକ୍ଷ ଗ୍ରାମ୍ୟଜୀବନ, ସଂସ୍କୃତିର
ଛବିଟିଏ, ପ୍ରାଣବନ୍ତ କିମ୍ବଦନ୍ତୀ
ସାକ୍ଷୀ ଅତୀତ ଓ ବର୍ତ୍ତମାନର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational