STORYMIRROR

Upendra prasad Mahala

Inspirational

3  

Upendra prasad Mahala

Inspirational

ଅଦ୍ଭ୍ୟୁଦୟ

ଅଦ୍ଭ୍ୟୁଦୟ

2 mins
208



ଆସିଛି ଅଭ୍ୟୁଦୟ ବେଳ, ଜାଗି ଉଠ !!
ସମୟର ସ୍ପନ୍ଧନକୁ ନିଜେ ମାପି ଦେଖ
ବଦଳି ଯାଉଛି କେମିତି ଜୀବନଯାତ୍ରା
ବଦଳୁଛି ମଣିଷର ପ୍ରବୃତ୍ତି, ମାନସ ସ୍ଥିତି ।
ନିରାଶା ଓ ଯାତନାର ଅନ୍ଧାର ଭିତରେ
ନିରବଚ୍ଛିନ୍ନ ଭାବେ ସଂଘଟିତ ହେଉଛି
ସମ୍ଭାବ୍ୟ ' ପରିବର୍ତ୍ତନ ' ନୂଆ ରୂପରେ ।
ବୁଝି ନିଅ ଯୁଗଯୁଗର ଶାଶ୍ବତ ସତ୍ୟ 
ଅବକ୍ଷୟରୁ ନବଜାଗରଣ ଯାତ୍ରା ଲାଗି
ପ୍ରକୃତି ଫିଟାଇ ଚାଲିଛି ନିଜସ୍ବ ବାଟ।
ରୁଗଣ ଭାଵନାରୁ ମୁକୁଳି ଆସି ଦେଖ,
ଅନ୍ତର୍ବିଶ୍ବ ଚେତନାର ଆହ୍ବାନକୁ ଶୁଣ
ପ୍ରତି ନୂଆ ସକାଳରେ ଭାସି ଆସୁଛି
ସୂକ୍ଷ୍ମ ଦୁନିଆରୁ ଆଲୋକର ସଙ୍କେତ !!

ଆମ ପୁର୍ବପୁରୁଷ ପରପିଢି ଲାଗି ରଖି
ଯାଇଥିଲେ କେତେ ଗୌରବର ଛବି
ସ୍ଥାପତ୍ୟ କଳାର ଅନୁପମ ନିଦ୍ଦର୍ଶନ
ମନ୍ଦିରମାଳିନୀ, କୋଣାର୍କ, ଶ୍ରୀମନ୍ଦିର ।
ଆମକୁ ଭାବିବାକୁ ହେବ ଯେ ନୂଆପିଢି
ଲାଗି ଆମେ କ'ଣ ସବୁ ରଖି ଯାଉଛନ୍ତି
ଗର୍ବ ଗୌରବର ସନ୍ତକ, ଆତ୍ମପରିଚୟ ।
ପିଢି ପିଢ଼ି ମଧ୍ୟରେ ଦୂରତାକୁ ଭାଂଗି
ଗଢିଛନ୍ତି କି ଆତ୍ମୀୟତାର ସଂଯୋଗ
ସେତୁ, ପରସ୍ପରକୁ ବୁଝିବା ଲାଗି ?
ପୁରୁଣା ମୂଲ୍ୟବୋଧରେ ତାଉଲାରେ
ନୂଆପିଢି ପଥଭ୍ରଷ୍ଟ ବୋଲି ମାପୁଛନ୍ତି,
ଦୋଷ ପରେ ଦୋଷ ଲଦି ଦେଉଛନ୍ତି ।
ନିଜକୁ ଦର୍ପଣରେ ଥରେ ପରଖି ଦେଖ
ପୁଅଝିଅଙ୍କ ବୟସରେ ଥିଲେ କି ଆମେ
ଯୁବକ, ଆତ୍ମନିର୍ଭରଶୀଳ, ସଚେତନ ?
ବରଂ ଆଦରିଥିଲେ ଅକାଳ ବାର୍ଦ୍ଧକ୍ୟ !
ଦେଖି ନ ଥିଲେ ମୋବାଇଲ, ନେଟୱର୍କ,
କୃତ୍ରିମ ବୁଦ୍ଧିମତ୍ତା, ସୋସିଆଲ ମିଡିଆ।
ବର୍ତ୍ତମାନ ପିଢି ପ୍ରଯୁକ୍ତି କୌଶଳରେ
ସାରା ବିଶ୍ବକୁ ଯୋଡି ବସୁଛନ୍ତି ଦେଖ !!
ସେମାନେ ଆମଠୁଁ ବହୁ ଦାୟିତ୍ବବାନ,
ସମ୍ବେଦନଶୀଳ, ଆଗାମୀ ସମ୍ଭାବନା।
ସେମାନେ ଆମ ଭଳି ଭାଗ୍ୟବାଦୀ ,
ରକ୍ଷଣଶୀଳ କି ନିରାଶପନ୍ଥୀ ନୁହନ୍ତି ।
କୁହ ସେମାନେ ଖୋଜି ପାଇଥିବେ କି
ଆମ  ପିଢିରୁ କାହାକୁ ନିଜ ଆଦର୍ଶ ?

ପାରୁଛ ଯଦି ଗଢିଦିଅ ସଂଯୋଗ ସେତୁ
"ଭବିଷ୍ୟତ ପିଢି" ର ନୂଆ ଦୁନିଆ ଲାଗି, 
ବୁଣିଦିଅ ଆଶା ଓ ବିଶ୍ବାସର ସନ୍ଦେଶ।
ସମୟ ସହ ପାଦ ମିଳାଇ ଚାଲିବା ଶିଖ
ଦୁଃଖରେ ବି ହସି ହସାଇବା ଶିଖି ନିଅ ।
ଭବିଷ୍ୟ ପିଢି ଆଣିଦେବେ ସ୍ବର୍ଣ୍ଣିମ ଯୁଗ
ନ ଥିବ ସାମାଜିକ ବୈଷମ୍ୟ, ବିଭେଦ
ଋତୁମାନେ ଆସିବେ ପୋଷାକ ବଦଳାଇ
ମାଟିକୁ ଫେରି ଆସିବ ଚିର ସମୁଜିମା,
ଇଛା ମାତ୍ରେ ମନର ଭାବକୁ ପଢିନେଇ
ରୋବର୍ଟ ଲେଖୁଥିବ ମନୋଜ୍ଞ କବିତା ।
ପୃଥିବୀକୁ ଅବତରି ଆସିଥିବ ସ୍ବର୍ଗୀୟ
ଚେତନା ଓ ଦିବ୍ୟ ମାନବର ସତ୍ତା।

ହାର ମାନିବା ମଣିଷର ଭବିତବ୍ୟ ନୁହେଁ
ପରିସ୍ଥିତି ସହ ଲଢି ଜିଇବା ହିଁ ଜୀବନ।
ମନରୁ କାଢି ଫିଙ୍ଗିଦିଅ ସାଇତି ରଖିଥିବା
ଅବସାଦ, ହାରିଯିବା ଓ ହରାଇବା ଗ୍ଳାନି।
ପୂର୍ବାଶାକୁ ଚାହିଁ ଦେଖ, ଗମ୍ଭୀର ମୁଦ୍ରାରେ
ପ୍ରକୃତି। ସର୍ଜନାର ଅଭ୍ୟୁଦୟ ପର୍ବ ଲାଗି
କେମିତି ଜାରି ରଖିଛି ଅଭିଷେକ ପ୍ରସ୍ତୁତି ,
ଦାରୁଣ ବିପର୍ଯ୍ୟୟକୁ ବିଦାରି ଜୀବଜଗତ
ଲାଗି ନୂଆ ନକ୍ସା ଗଢୁଛି ସମୟର ଧାରା !!

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational