କୃଷ୍ଣଚୂଡ଼ାର ହସ
କୃଷ୍ଣଚୂଡ଼ାର ହସ
କୃଷ୍ଣଚୂଡାର ନାଲି ନାଲି ରଙ୍ଗ
ମହୁଲି ପିଇଛି ସତେ
ପେନ୍ଥି ପେନ୍ଥା ଗୁନ୍ଥି କେ ଦେଇଛି
ଆଖିମାରୁଥାଏ ମତେ ।
ଏଡ଼ିକି ନହୁଲି ରଙ୍ଗ ନାଲି ନାଲି
ବୟସ ହେଉଛି ଯେତେ
ରଙ୍ଗର ନାରଙ୍ଗ ଫୁଲି ଫୁଲି କହେ
ସମୟ ଧରିଛି ହାତେ ।
ଏଡେ ମଖମଲ୍ଲି ପେନ୍ଥା ପେନ୍ଥା ଫୁଲି
ବହପ ଦେଖାଏ କେତେ
ମୁଁ ବାରମାସୀ ଉଦାସୀ ଅଳସୀ
ଆଖି ଦେଖାଉଛୁ ମତେ ।
କୃଷ୍ଣଚୂଡ଼ା ତୋର ଲାଜର ଗୋଲାପି
କବି ଲେଖିଦିଏ ଗୀତେ
ତୋ ହସର ପାଖୁଡା ଇନ୍ଦ୍ରଧନୁ ପରି
ନବବଧୂ ନଯାଏ ପରତେ ।
ଦେଖି ତୋର ହସ ଜୋଚ୍ଛନା କଳସ
ଲାଜରେ ମରେ ସେ ଏତେ
ନବବଧୂର ସିନ୍ଦୁର ଶଙ୍ଖା ଶାଢ଼ୀ ରଙ୍ଗ
କହେ କୃଷ୍ଣଚୂଡ଼ା କାନେ ମତେ ।
ଯେତେ ବି ସୁନ୍ଦରୀ ରଙ୍ଗର କାଉଁରୀ
ଛୁଇଁ ପାରିବେକି ସତେ
ସତେ ଗୋ ଫୁଲରାଣୀ ଆଣିଲେ ଗଉଣୀ
ମାପିହେବନାହିଁ ତୋ ହସ ସତେ ।
କେମିତି ବିଧାତା କୃଷ୍ଣଚୂଡାକୁ ଏତେ ରଙ୍ଗ
ହସିଲେ ଝରେ ମୋତି ଏତେ
ହସରୁ ଲାବଣ୍ୟବତୀର ଯୌବନ ରଙ୍ଗ
ଫିକା ଦିଶୁଥାଏ ଏତେ ।
ସବୁ ନାଲି ରଙ୍ଗ କୃଷ୍ଣଚୂଡ଼ାକୁ ଦେଇ ବିଧାତା
ଟେକି ଦେଲ କି ହାତ
ତା ହସରେ ନାଳି ମଖମଲ୍ଲି ଗେଲି ଓ ନହୁଲି
ହସୁଥାଏ ଖିଲି ଖିଲି କେତେ ।