STORYMIRROR

Biswanath Nayak

Abstract

3  

Biswanath Nayak

Abstract

କୃଷ୍ଣଚୂଡ଼ା ର ହସ

କୃଷ୍ଣଚୂଡ଼ା ର ହସ

1 min
328

କୃଷ୍ଣଚୂଡ଼ା ର ନାଲି ନାଲି ହସ

       କେବେ ଫିକା ଦିଶେ ନାହିଁ,

ହସି ହସି ସଦା ଖୁସି ବାଣ୍ଟେ ସିଏ

       ଜୀବନର ଗୀତି ଗାଇ। 

ସକାଳ ସୂରୁଜ ହସି ହସି ଯେବେ

       ସୁନେଲି କିରଣ ବୁଣେ,

କୃଷ୍ଣଚୂଡ଼ା ହସି ରକ୍ତିମ ଆଭାରେ

        ସଭିଙ୍କର ମନ ଜିଣେ। 

ହେଉ ବାରିଧାରା ଅବା ଝାଞ୍ଜି ଖରା

        ଯାହା ପରଶ ସେ ପାଏ,

ନାହିଁ ନିଜପର ପାତର ଅନ୍ତର

        ସଭିଙ୍କୁ ସିଏ କୋଳାଏ।  

ଆସି ଯେବେ ଝଡ଼ ଭାଙ୍ଗେ ପକ୍ଷୀ ନୀଡ଼

        ଶୋଚନା ତା'ର ନଥାଏ,

ନିରାଶା ଓ ଦୁଃଖ ମନକୁ ନଆଣି

        ସଦା ସିଏ ହସୁଥାଏ। 

ଦୁନିଆରେ ସିଏ ଜନମିଛି ଯେଣୁ

        ହସି ହସାଇବା ପାଇଁ,

ପର ଆପଣା ଓ ଶତୃ ମିତ୍ର ଭାବ

        ମନେ ତା'ର କିଛି ନାହିଁ। 

ହେ ମଣିଷ ! ଶିଖ କୃଷ୍ଣଚୂଡ଼ା ଠାରୁ

        ହସି ହସାଇବା ପାଇଁ,

ଭୁଲି ଭେଦଭାବ ହସୁଥାଅ ସଦା

         ଦୁଃଖେ ବିଚଳିତ ନୋହି। 

ହସୁଥିଲେ ସଦା ଦୁନିଆ ମଞ୍ଚରେ

         ସରବେ ହେବେ ହରସ,

ପ୍ରଭୁ କୃପା ଲଭି ଜୀବନଟା ତୁମ

         ହେବ କୃଷ୍ଣଚୂଡ଼ା ହସ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract