କୃଷକଟିଏ ମୁହିଁ
କୃଷକଟିଏ ମୁହିଁ
ଶୂନ୍ୟତାର ଥାଳ ଧରି ଏ ମୋର ପୂର୍ଣ୍ଣ ପାତ୍ରେ
ଥରୁଛି ପରା ଜୀବନ ସାରା ଥରାଇ ମନ ଗାତ୍ରେ
କୃଷକଟିଏ ମୁହିଁ
ସଳଖି ଅଣ୍ଟା ଥରକୁ ଥର ପାରୁନି ଭାର ବହି ।
ଘନ ବରଷା ଆଗରେ କେବେ ପତାଇଅଛି ଛାତି
ସହିଛି କେତେ ଅଂଶୁର ଘାତ ନିର୍ଧୂମ ଖରା ତାତି
ତଥାପି ହାରି ନାହିଁ
ଶୀତର ଦାଉ ଅଝାଲ ଜାଡ ଖୁସିରେ ଅଛି ସହି ।
ସୁରୁଜ ତାତି କାକର ମୋତି ମଥାନ ତଳ ଦେଇ
ଛୁଇଁକି ମୋର ଶିରାଳ ହାତ ଯାଇଛି ଦୂର ହୋଇ
କରିପାରିନି କୋପ
ବଦଳ କେହି କରି ପାରିନି ମୋ ଭାଗ୍ୟ ଅଭିଲେଖ ।
ଆହାର ମୁଠେ ଯୋଗାଡି ଦେଇ ବିଶ୍ଵ ଜନ ମୁଖେ
ବିତାଇ ଅଛି ଦିବା ଯାମିନୀ କେବେ ବା କେଉଁ ମତେ
ହିସାବ କହ କେହି
ରଖିଛି ପରା ନିୟତି ଯାହା ମୋ ପାଇଁ ଅଛି ଲିହି ।
ଆସିଛି କେତେ ଝଡବତାସ ସହିଛି କେତେ ତାପ
ପଡୁଛି ଭାଙ୍ଗି ମୋ ମେରୁଦଣ୍ଡ ସହି ପ୍ରକୃତି କୋପ
ତଥାପି ହୋଇ ଠିଆ
ବିଶ୍ଵଜନ ମଙ୍ଗଳ ପାଇଁ ପାତିଛି ମୋର ହିଆ ।