କରୋନା
କରୋନା
1 min
343
କାହାର !ଏ ଭୋକ, ଆହାଃ କି ବିରାଟ ଗ୍ରାସୁଛି ସହର ଗାଁ
ଅଳପ ବୟସ ନିରିମାଖୀ ହସ ଉଜୁଡେ ଛାଁ କୁ ଛାଁ
କିଏ ସେ ହାକିମ ଦେଇଛି ଏ ରାୟ ଅଗଣିତ ମୁଣ୍ଡ ଛେଦ
ଅଧା ରହିଗଲା କୋଣାରକ ମୁଣ୍ଡି ,ଟଳିପଡେ ଧର୍ମପଦ ।
ଏ କି କଳିକାଳ ସଂଘର୍ଷ ତୁମୁଳ ଜୀବନ ମରଣ ପଥେ
ଲଢୁଛି ଯୌବନ ଲଢୁଛି ଶୈଶବ ବୃଦ୍ଧ ବି ପଡିନି ପଛେ
ଶୁଭେ ହାହାକାର କ୍ରନ୍ଦନର ରୋଳ ଲିଭୁନି ମଶାଣୀ ଚିତା
କିଏ ସେ ଶୀକାରୀ ଏଡେ ଆକ୍ରୋଶରେ ଖଞ୍ଜିଲା ମରଣଯନ୍ତା ।
ଆହା ରେ ପବନ ! କାହାର ଇଙ୍ଗିତେ ଅଟକୁ କ୍ଷଣ କୁ କ୍ଷଣ
ଉଗ୍ର ରୂପ ତୋର ଭାଙ୍ଗେ କେତେ ନୀଡ ତୋ ଚୁପ୍ ନେଉଛି ପ୍ରାଣ
କର ପତ୍ର ଯୋଡି ଛାତି ର ପଞରା ମାଗୁଛି ନିଶ୍ବାସ ମୁଠେ
ବହି ଯା..ଆ..ତୁ ନାସାରନ୍ଧ୍ର ଡେଇଁ ଜୀବନ ନଦୀର ତୁଠେ ।
ଅଭିମାନ ତେଜି ଅନୁରାଗେ ଭିଜା ଆକୁଳ ହୃଦୟ ବନ
ଅଦିନରେ ଆଉ ଝଡି ନ ପଡନ୍ତୁ ଝଡିପୋକ ପରି ଜନ ।