କର୍ମ ଜ୍ଞାନ ଭକ୍ତି
କର୍ମ ଜ୍ଞାନ ଭକ୍ତି
ପଚାରନ୍ତି ଦ୍ଵିତୀକୃଷ୍ଣ କୃଷ୍ଣ ମୁଖ ଚାହିଁ
କର୍ମ ଜ୍ଞାନ ଭକ୍ତି ସଜ୍ଞା କହନ୍ତୁ ବୁଝାଇ ।
ତ୍ରୟ ଯୋଗମଧ୍ୟେ କେଉଁ ଯୋଗ ଅଟେ ସାର
ପ୍ରକାଶି ସଂଶୟ ଦୂରକର ବିଶ୍ଵାଧାର ।
ହସି ଭାଷିଲେ ଭାରତୀ ଭାରତୀରମଣ
ହେ ଭାରତ ଭାର ତତ୍ତ୍ୱ କରନ୍ତୁ ଶ୍ରବଣ ।
ପ୍ରାଣୀମାତ୍ରେ ସ୍ୱଭାବରେ କର୍ମର ଅଧୀନ
ରହେ କର୍ମର ଆୟତେ ନୁହେଁ ସେ ସ୍ୱାଧୀନ ।
କର୍ମ ଅଟେ ଭଉତିକ କାର୍ଯ୍ୟ ସମ୍ପାଦନ
କର୍ମେ ଜୀଏଁ ନର କର୍ମ ତା ଅବଲମ୍ବନ ।
କର୍ମ ଅକର୍ମ ବିକର୍ମ ତ୍ରିବିଧ ବିଦିତ
ସୁକର୍ମ କୁକର୍ମ କର୍ମ ଯୋଗ ସମ୍ପାଦିତ ।
ନିଜପାଇଁ ଯାହାକର ତାହାଟି କରମ
ଫଳ ପ୍ରାପ୍ତି ଆଶା ସ୍ୱାର୍ଥ ରହଇ ମରମ ।
ବିକର୍ମ ଅଟଇ ମନ୍ଦ କର୍ମ ସମାହାର
କୁତ୍ସିତ ଜଘନ୍ୟ ପାପ ମନ୍ଦ କାରବାର ।
ଅକର୍ମେ ନଥାଏ ସ୍ୱାର୍ଥ ପରହିତେ ବ୍ରତୀ
ଏଣୁ ଅକର୍ମରେ ବାସୁଦେବଙ୍କୁ ପ୍ରାପତି ।
ଜ୍ଞାନ ଅଟେ କର୍ମ ଯୋଗ ଜଠରୁ ଉତ୍ପନ୍ନ
ଦିବ୍ୟ ନୈସ୍ବର୍ଗୀୟ ଯାହା ପ୍ରାରବ୍ଧ କଥନ ।
କର୍ମ ଯେତେବେଳେ ଶୁଦ୍ଧ ଜ୍ଞାନ ବିନିସୃତ
ଜ୍ଞାନ କରିପାରେ ପାପରାଶି ଭସ୍ମୀଭୂତ ।
ଜ୍ଞାନନେତ୍ରେ ଜ୍ଞାନୀ ଦେଖେ ଏ ବିଶ୍ଵଜଗତ
ହୁଏ ସ୍ରଷ୍ଟା ପ୍ରଜାପତି ସୃଜନ ସମର୍ଥ ।
ଜ୍ଞାନ ପରିପକ୍ୱ ହେଲେ ଭକ୍ତି ହୁଏ ଜାତ
ଭକ୍ତିରୁ ମୁକତିପଥ ବ୍ରହ୍ମାନନ୍ଦ ପ୍ରାପ୍ତ ।
ନିର୍ମଳ ଶାଶ୍ୱତ ପ୍ରେମ ଭକ୍ତିରୁ ଉଦ୍ଭବ
ସେହି ପ୍ରେମ ବଳେ ଵଶ ହୁଅନ୍ତି ମାଧବ ।
ଏଣୁ ଭକ୍ତିଯୋଗ ଶ୍ରେଷ୍ଠ ରୂପେ ହୁଏ ଗଣ୍ୟ
ଭକ୍ତ ତ୍ରିବିଧ ସ୍ୱଭାବେ ତ୍ରିବିଧ ଲକ୍ଷଣ ।
ଆର୍ତ୍ତୀ ଅର୍ଥାର୍ଥୀ ଜିଜ୍ଞାସୁ ବିଭାଗୀକରଣ
ଆର୍ତ୍ତୀ ଆର୍ତ୍ତେ ମୋ ନାମକୁ କରଇ ସ୍ମରଣ ।
ଅର୍ଥାର୍ଥୀ ସ୍ୱାର୍ଥସାଧନେ ଭଜେ ବରାବର
ମାନ ଅଭିମାନ ରହେ ଏ ବେନି ଭକ୍ତର ।
ଜ୍ଞାନୀ ଜିଜ୍ଞାସୁ ଭକତ ମଧ୍ୟରେ ସରସ
ପୂର୍ଣ୍ଣ ସମର୍ପିତ ସେ ନିଷ୍କାମ ଜ୍ଞାନହଂସ ।
ସମସ୍ତ କାର୍ଯ୍ୟ କାରଣ ହାନିଲାଭ ଫଳ
ଈଶ୍ୱରେ ସମର୍ପି ରହେ ଉଦାର ନିର୍ମଳ
ସୁଖରେ ନୁହେଁ ବିହ୍ଵଳ ଦୁଃଖରେ କାତର
ସମଭାବ ସମଦର୍ଶୀ ସ୍ଥିତପ୍ରଜ୍ଞ ନର ।
ହେ ଅର୍ଜୁନ ସ୍ବଧର୍ମ ଅଟଇ ଭକ୍ତି ମଣ
ଭକ୍ତି ଵିନା ଅନ୍ୟସବୁ ମାୟାର କାରଣ ।