STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

କୋଣାର୍କ

କୋଣାର୍କ

3 mins
193


ପୂଣ୍ୟମୟ ଉତ୍କଳ ବୁକୁରେ ସ୍ଥିତ ନାନାଦି କ୍ଷେତ୍ର

ତନ୍ମଧ୍ୟରୁ ଅଟଇ ଅନନ୍ୟ ଅଦ୍ବିତୀୟ କୋଣାର୍କ

ଅବସ୍ଥିତି ତାହାର ଚନ୍ଦ୍ରଭାଗା ନଦୀର ତୀରେ

ସ୍ବର୍ଣ୍ଣ ତ୍ରିଭୁଜର ଏକଇ ପାର୍ଶ୍ଵେ ନାମ ତାର ଅର୍କ

ତିନି କୋଣେ ରହିଅଛି ତିନି ମହାନ କ୍ଷେତ୍ର

ପୁରୀରେ ଶଙ୍ଖ କ୍ଷେତ୍ର ଭୁବନେଶ୍ଵରେ ଏକାମ୍ର

ଚାରି କ୍ଷେତ୍ରର ସମାହାର ଏଇ ଉତ୍କଳ ଭୂଖଣ୍ଡ

ଶଙ୍ଖ - ଅର୍କ - ଏକାମ୍ର - ତୁଳସୀ ଜଗତ ବିଖ୍ୟାତ। (୧)

ଏକଇ ଦିଗରେ ସ୍ଥିତ ଅଶାନ୍ତ ନୀଳ ପାରାବାର

ଉଠଇ ତହିଁରେ ଉତ୍ତାଳ ଲହରୀ ବାର ବାର

ଶୀର୍ଷେ ରହିଅଛି ବେଢ଼ି ଅସୀମ ଅନନ୍ତ ଗଗନ

ଢାଳୁଛନ୍ତି ସୂର୍ଯ୍ୟ ଦେବ ଆପଣାର କନକ କିରଣ

ତାଳ ତମାଳ ନାରିକେଳ ବନରାଜିରେ ସୁଶୋଭିତ

ବାଲୁକା ରାଶିରେ ବିସ୍ତାରିତ ଗୁଡକଙ୍କର ସାମ୍ରାଜ୍ୟ

ବ୍ଯାପି ରହିଛି ଭଳିକି ଭଳି ପଣ୍ଯର ସୁରମ୍ୟ ବିପଣି

ଚାଲୁଥାଏ ସେହିଠାରେ ସଦା ସର୍ବଦା ମନ କିଣାକିଣି। (୨)

ଦ୍ବାପରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କରିଲେ ମହାପାପ

ପିତୃ ଅଭିସମ୍ପାତେ କୁଷ୍ଠ ରୋଗେ ପାଇଲେ ବହୁ କଷ୍ଟ

ପୁତ୍ରର ଏହି ଦଶା ଦେଖି ବ୍ୟାକୁଳ ହୋଇଲେ ଶ୍ରୀପତି

ସୂର୍ଯ୍ୟ ଆରାଧନାରେ ପୁତ୍ର ତ ଲଭିବ ରୋଗରୁ ନିବୃତ୍ତି

ପାଳନ କରି ପିତୃବାଣୀ ମହାନିଷ୍ଠାରେ ତପସ୍ୟା ଆଚରି

ବହୁ ବର୍ଷର ଅନନ୍ତରେ ସୂର୍ଯ୍ୟଦେବଙ୍କୁ ଶାମ୍ବ କରିଲେ ସନ୍ତୁଷ୍ଟ

ଶାମ୍ବ ହେବାରୁ ରୋଗମୁକ୍ତ ଏଧାମ ନାମ ବହିଲା ଅର୍କ କ୍ଷେତ୍ର

ପୁରାକାଳରୁ ଏଇ ଭୂଭାଗ ମିତ୍ରବନ ନାମରେ ପରିଚିତ। (୩)

ଦିନେ ଥିଲା ଏଠି ବନ୍ଦର ଚାଲୁଥିଲା ପଣ୍ଯ କାରବାର

କୋଣଗର ଥିଲା ବିଶ୍ବ ବାଣିଜ୍ୟର ଭାରତେ ପ୍ରବେଶ ଦ୍ୱାର

ରହିଅଛି ସାକ୍ଷୀ ସମୃଦ୍ଧ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର

ତିଆରି ହୋଇଲା ଏଠି ସୂର୍ଯ୍ୟଦେବଙ୍କ ପାଇଁ ବିଶାଳ ମନ୍ଦିର

ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କାରିଗରୀ ଦିଶଇ ଚାରୁ ମନୋହର

ବିଶ୍ବ ଇତିହାସ ବକ୍ଷେ ଯାହା ସଦା ସର୍ବଦା ରାଜିଛି ରୁଚିର

କୋଣଗର ବନ୍ଦରରୁ ସୃଷ୍ଟି ହୋଇଲା ଆଜିର କୋଣାର୍କ

କୃଷ୍ଣ ପାଗୋଡ଼ା ନାମରେ ସମଗ୍ର ବିଶ୍ବରେ ବିଦିତ ବିଖ୍ୟାତ। (୪)

ଆମ ମହାନ ଉତ୍କଳୀୟ ଜାତିର ବୀରତ୍ବର ଜୟଗାଥା

ହୋଇଲେ କର୍ଣ୍ଣଗୋଚର ଘୁରାଇ ଦିଏ ମଣିଷର ମଥା

ବିସ୍ତାରି ଆପଣାର ସୀମାରେଖା ଆଗଙ୍ଗା - ଗୋଦାବରୀ

କଳିଙ୍ଗ ସାଗର ଅଧିପତି ହୋଇଥିଲେ ପୁଣି ଦରିଆପାରି

ସାତ ଦରିଆ ତେର ନଈ ବୁକୁ ଚିରି ସାଧବର ପୁତ

ଯାଉଥିଲେ ଦୂର ଦେଶେ ମେଲି ଆପଣାର ବୋଇତ

ହୀରା ନୀଳା ମୋତି ମାଣିକ ବୈଦୁର୍ଯ୍ୟ ଭରି ତହିଁରେ

ଫେରୁଥିଲେ ସ୍ବଦେଶେ ବୀର ଦର୍ପେ ଆନନ୍ଦ ମନରେ। (୫)

ନରପତି ସମ୍ରାଟ ଅନଙ୍ଗଭୀମ ଦେବଙ୍କ ସୁଯୋଗ୍ୟ ସନ୍ତାନ

ପ୍ରଥମ ନରସିଂହ ଦେବ(ଲାଙ୍ଗୁଳା) ଅଟଇ ତାହାଙ୍କର ନାମ

ଦାକ୍ଷିଣାତ୍ୟ ଦିଗବିଜୟ ଅନ୍ତେ ପ୍ରାପ୍ତ ବିପୁଳ ସମ୍ପଦ ବଳରେ

କରିଲେ ପଣ ଗଢିବାକୁ ବିଶାଳକାୟ ସୂର୍ଯ୍ୟଦେବଙ୍କ ମନ୍ଦିର

ହୋଇ ଆପଣା ମାତାଙ୍କ ଆଜ୍ଞାରେ ହୋଇ ସମ୍ମତ ଅଙ୍ଗୀକାର

ନିୟୋଜିତ ହୋଇଲେ ବଛାବଛା ବାରଶହ ବୀର କାରିଗର

ଉନ୍ମୁକ୍ତ କରି ଦେଲେ ସମ୍ରାଟ ଆପଣାର ରାଜକୋଷ ଦ୍ବାର

ସାମ୍ରାଜ୍ୟର ସମସ୍ତ ରାଜସ୍ବ ବିନିଯୋଗେ ଗଢାଇଥିଲେ ମନ୍ଦିର। (୬)

ମନ୍ଦିରର ମୁଖ୍ୟ ସୂତ୍ରଧର ଶିବେଇ ସାମନ୍ତରାୟ ମହାମାନ୍ଯ

ଜାଉ ଖାଇବା ଅନ୍ତରାଳେ ବୃଦ୍ଧା ବ୍ରାହ୍ମଣୀଠୁ ଲଭିଥିଲେ ଗୁରୁଜ୍ଞାନ

ନଦୀର ପ୍ରଖର ପ୍ରବାହ ରୋକି ଚାତୁର୍ଯ୍ୟେ ଗଢିଲେ ମନ୍ଦିର

ବିଶୁ ମହାରଣାଙ୍କ ନେତୃତ୍ବରେ ସଂଘବଦ୍ଧ ଯେତେ କାରିଗର

ରଚିଗଲେ ଇତିହାସ ପ୍ରସ୍ତର ବକ୍ଷରେ ଆଙ୍କି ହସ୍ତାକ୍ଷର

ଚୁମ୍ବକୀୟ ଶକ୍ତିର ପ୍ରଭାବେ ଭାସମାନ ବିଗ୍ରହ ନିର୍ମାଣ

ତହିଁରେ ଝଲସି ଉଠୁଥିଲା ସୂର୍ଯ୍ୟଙ୍କର ପହିଲି କିରଣ

ଅତୁଲ୍ୟ ଅନନ୍ଯ ଶୋଭାରାଜି ଦିଶେ ଅନୁପମ ମନୋରମ। (୭)

ଶିଳ୍ପୀର ନିହାଣ ମୂନରେ ଗଢା ଅପରୂପ ଚାରୁକଳା

ପଦ୍ମ ପାରିଜାତ ପ୍ରସ୍ଫୁଟିତ ଏଠି କଥା କହେ ଶୀଳା

ରଥାକୃତିରେ ସୂକ୍ଷ୍ମାତିସୂକ୍ଷ୍ମ ସମ୍ଭ୍ରାନ୍ତ କାରୁକାର୍ଯ୍ୟ ସଂପର୍ଣ୍ଣ

ମନ୍ଦିର ଗାତ୍ରରେ ହୋଇଛି ସମ୍ମୋହନୀ ସଜୀବ ଚିତ୍ରଣ

ଦେବାଦେବୀ ଯକ୍ଷ କିନ୍ନର ଗନ୍ଧର୍ବ ନଟ ନଟୀ ଯୁଗଳ

ହୋଇଛନ୍ତି ପ୍ରାଣବନ୍ତ ଲଭି ସ୍ପର୍ଶ ଶିଳ୍ପୀର କର କମଳ

ମୈଥୁନ କାମକଳାର ଜ୍ଯାମିତିକ ଅଙ୍କନ ନୈପୁଣ୍ୟ

ମନେ ଭରିଯାଏ ବୈପୁଥ ଭାବ କରିଲେ ସଂଦର୍ଶନ। (୮)

ବାର ବର୍ଷର ବାଳକ ଧର୍ମପଦ ରଖି ଜାତିର ମହତ

ହସି ହସି ଦେଇଛି ଆପଣାର ପ୍ରାଣ ବିନା ପ୍ରତିବାଦେ

ସରଗର ଅଭିଶପ୍ତ ଚନ୍ଦ୍ରମା ଆସିଥିଲା ଉତ୍କଳର ପୃଷ୍ଠେ

ରଚିବାକୁ ନବ କୀର୍ତ୍ତିରାଜି ଇତିବୃତ୍ତି ଏଇ ଧରାବକ୍ଷେ

ସ୍ଵଳ୍ପାୟୁ ହୋଇ ବି ଅବଦାନ ତାହାର ଅଦ୍ବିତୀୟ ମହାନ

ବିନା ଅନୁଶୋଚନାରେ କରିଗଲା ମୃତ୍ୟୁକୁ ଆଲିଙ୍ଗନ

ଶିଳ୍ପୀକୁଳ ଶିରୋମଣୀ ଚିର ସ୍ମରଣୀୟ ସ୍ମୃତି ତା' ଅମ୍ଲାନ

ରହିଥିବ ତା'ର ଗାଥା ମହୀରେ ଥିବା ଯାଏଁ ସୂର୍ଯ୍ୟ ଚନ୍ଦ୍ର। (୯)

କର୍ପୁର ଯାଇଛି ଉଡି କନା ତ ଯଥା ସ୍ଥାନେ ରହିଛି ପଡି

ନାନାଦି ଘାତ ପ୍ରତିଘାତ ବାଧାବିଘ୍ନ ଦହନ ସହ୍ଯ କରି

ସମୁଦ୍ର ଯାଇଛି ଘୁଞ୍ଚି ପଛକୁ ଆଉ କେବେ ଆସିନି ଫେରି

ଭଗ୍ନାବଶେଷେ କୋଣାର୍କ ଚାହିଁଛି ହୋଇ ଜରାଜୀର୍ଣ୍ଣ

ଚିର ପ୍ରତୀକ୍ଷାମାଣ ଚାତକ ପରି ଲଭିବାକୁ ନୂତନ ପ୍ରାଣ

ଜାତିସ୍ମର ଶିଳ୍ପୀର ନିହାଣର ମଧୁର ସ୍ପର୍ଶ ଆଘାତରେ

ଭଗ୍ନକାୟ ହୋଇ ରଖିଛି ବଞ୍ଚାଇ ଉତ୍କଳୀୟ ଜାତିର ମାନ

ରହିଥିଲା ରହିଅଛି ରହିଥିବ ସଦା ଅମଳିନ ଜନ ମାନସରେ। (୧୦)



Rate this content
Log in

Similar oriya poem from Abstract