STORYMIRROR

Sasmita Choudhury

Abstract

4  

Sasmita Choudhury

Abstract

କୋମଳ କଳୀଟେ ଶିଶୁ

କୋମଳ କଳୀଟେ ଶିଶୁ

1 min
226


ଈଶ୍ବରଙ୍କ ସୃଷ୍ଟ ଏ ଧରା ବୁକୁରେ

କୋମଳ କଳୀଟେ ଶିଶୁ, 

ପଦପାତେ ତା'ର ହସେ ଏ ସଂସାର

ସତେ ବା ଉଦିତ ଅଂଶୁ। 


ପାପ ତାପ ଅବା ହିଂସା ବାଦର 

କାଳିମା ଛୁଏଁନା ତା'ରେ, 

ଉପସ୍ଥିତି ତା'ର ଖେଳାଏ ମହକ

ପ୍ରତି ମନ ଅଗଣାରେ। 


ନୀରିହ ଆଖିର ଚାହାଣିରେ ଥାଏ। 

କେତେ ଯେ ପ୍ରଶ୍ନମାଳା, 

ଦରୋଟି ଭାଷାରେ ପ୍ରକାଶେ କେତେ ସେ

ଆବେଗର ଭାବଧାରା। 


ଶିଶୁଟି ଦେଶର ଅମୂଲ୍ୟ ସମ୍ପଦ 

ଆଗାମୀର ବାର୍ତ୍ତାବହ, 

ଆଜିର ଶିଶୁଟି କାଲି ନାଗରିକ

ସାଜେ ଭୀଷ୍ମ ପିତାମହ। 


ପୁରାଣରୁ ଇତିହାସ କହିଯାଏ 

କେତେ ଯେ ଶୈଶବ ଗାଥା, 

ଧରମା, ବାଜିଠୁଁ ଧ୍ରୁବ, ପ୍ରହଲ୍ଲାଦ 

ଶୁନଶ୍ଯେପ, ନଚିକେତା।


ଅନାହାର ଆଉ ଅପପୁଷ୍ଟିଗ୍ରସ୍ତ

ଶୈଶବ ଯହିଁ ଝରେ, 

"ନଗଡା" ଅଥବା "ସୋମାଲିଆ" ଚିତ୍ର

ଦେଖିଲେ ନୟନ ଭରେ। 


ଯେ ଦେଶ ଭବିଷ୍ୟ କର୍ଣ୍ଣଧାର ଭୋଗେ

ଦାସତ୍ବ ବା ନିର୍ଯ୍ୟାତନା, 

କାହିଁ ସେ ଦେଶର ସର୍ବାଙ୍ଗ ଉନ୍ନତି 

ଅଚିରେ ବିଲୟ ସିନା। 


ପାଉଁଶ ତଳର ସୁପ୍ତ ନିଆଁ ଝୁଲ

ପ୍ରଚଣ୍ଡ ସେ ଊର୍ଜାଧାରୀ, 

ହାଲୁକା ପବନେ ବିସ୍ତାରେ ଶିଖା

ଅନ୍ତଃସ୍ଥ ଗୁଣ ପ୍ରସାରୀ। 


ହୀନ ହେୟ କେବେ ନୁହେଁ ଏଇ ଶିଶୁ 

ସେ ବିଶାଳ ସମ୍ଭାବନା, 

ଉପଯୁକ୍ତ ଶିକ୍ଷା ଆଲୋକେ ଉଦ୍ଭାସି

କରେ ନୂତନ ସର୍ଜନା। 


ଭାବ ନାହିଁ ତାକୁ କ୍ଷୁଦ୍ର ଶିଶୁ ଟେ

ନୁହଁଇ ସେ କେବେ ନିଃସ୍ବ, 

ଏ ଶିଶୁ ଭିତରେ ଲୁକ୍କାୟିତ ଅଛି

ଏକ ଏକ ମହା ବିଶ୍ବ। 




Rate this content
Log in

Similar oriya poem from Abstract