କନ୍ୟାଟିଏ ପୁଣ୍ୟଟିଏ
କନ୍ୟାଟିଏ ପୁଣ୍ୟଟିଏ
ତା ଢଳ ଢଳ ଆଖି କହିଯାଏ କେତେ
ହୃଦୟ ଜିଣା କାହାଣୀ,
ସବୁ କାହାଣୀର ନାୟିକା ସାଜେ ସେ
ଅନାୟାସେ ମନ ଜିଣି।।
ପ୍ରୀତିର ମଧୁର ଝରାଫୁଲଟିଏ
ମହକାଇ ଦିଏ ଘର,
ଜାହ୍ନବୀ ସମ ସେ ଧୋଇନିଏ ସତେ
ପାପ କେତେ ଜନମର।।
ତା ହସ ଚମ୍ପାଫୁଲ ମହକାଇ ଦିଏ
ପ୍ରାଣକୁ ବିଭୋର କରି,
ତା କଥାର ତରଙ୍ଗେ ଉଲ୍ଲସିତ ହୁଏ
ଦିବସ ଓ ବିଭାବରୀ।।
ପାଦ ଥାପିଦେଲେ ଅଗଣା ମଝିରେ
ଫୁଟିଉଠେ ତାରାଫୁଲ,
ଏରୁଣ୍ଡି ଡେଇଁଲେ ଚହଳ ପଡଇ
ସମାଜ ମାଗେ ତା ମୁଲ।।
କଳଙ୍କ ନଲାଗୁ କପାଳରେ ତାର
ଦୁହିତା ହୋଇ ସେ ହସୁ,
ଅଧାବାଟେ ହାରି ନଯାଉ ମଉଳି
ତା ପ୍ରେମରେ ସଂସାର ହସୁ।।
