STORYMIRROR

SARATA KUMAR DAS

Inspirational

3  

SARATA KUMAR DAS

Inspirational

କନ୍ୟା ରତ୍ନ

କନ୍ୟା ରତ୍ନ

1 min
28.4K



କନ୍ୟା ନୁହେଁ ମୁଁ ଯେ ପ୍ରେମର ବନ୍ୟା

ଭରା କଳ କଳ ନଈ

ଏ କୂଳ ସେ କୂଳ ଛୁଏଁ ଦୁଇ କୂଳ

ସୀମା ସରହଦ ନାହିଁ ।।


ରୂପେ ନିରୂପମା ମୁଁ ଯେ ରାଜଜେମା

ସରଗ ରାଇଜ ପରୀ

ତମିସ୍ରା ବଳୟେ ମୁଁ ଯେ ଜ୍ୟୋତି ରେଖା

ଆଶା ମୋର ଅସୁମାରି ।।


ମଳୟରେ ମୁଁ ଯେ ଚନ୍ଦନ ସୁରଭି

ବରଷାର ଶୀତଳତା

ନିଦାଘ ବୈଶାଖେ ଡହ ଡହ ତାତି

ଫଗୁଣର ମାଦକତା ।।


ଅଗ୍ନି ସମ୍ଭୁତା ମୁଁ ଦୁଇ କୁଳ ହିତା

ବେଦରୂପା ବେଦସିଦ୍ଧା

ବିଶ୍ବର କଲ୍ୟାଣେ ଜାତ ମୁଁ କଳିକା

କନ୍ୟା ମୁଁ ଯେ ସ୍ବୟଂସିଦ୍ଧା ।।


ଜାୟା ରୂପେ ମୁଁ ଯେ ଜୀବନ ସଂଗିନୀ

ସ୍ନେହମୟୀ ମୁଁ ଜନନୀ

ଭଗ୍ନି ରୂପେ ମୁଁ ଯେ ଗଳାର ବନ୍ଧନୀ

ମୁଁ ଯେ ଚିର ଆହ୍ଲାଦିନୀ ।।


ଶରତ ଆକାଶେ ଶାରଦୀୟ ଶୋଭା

ଅଦିନରେ ବଜ୍ରପାତ

ଅନଳ ଶିଖା ମୁଁ ଉର୍ଦ୍ଧ ଧାବମାନ

ତାଣ୍ଡବର ସୁସଂକେତ ।।


ସୃଷ୍ଟିକାରିଣୀ ମୁଁ ସଂହାରକାରିଣୀ

ଝଲମଲ ଅଗ୍ନିପିଣ୍ଡ

ଅବଳା ଦୁର୍ବଳା ଯେତେ ଅପବାଦ

ହେବ ସିନା ଖଣ୍ଡ ଖଣ୍ଡ ।।


ପ୍ରଗତିର ପଥେ ହେବି ମୁଁ ନାୟିକା

ଯେତେ ପଛେ ବଳିଦାନ

ସମାଜ ସଂସ୍କାର ଯଜ୍ଞେ ମୁଁ ଆହୁତି

ଢାଳୁଥିବି କନ୍ୟା ରତ୍ନ ।।

------------------

ଶରତ କୁମାର ଦାସ,ବଡବିଲ ମହାବିଦ୍ୟାଳୟ, ବଡବିଲ ।


Rate this content
Log in

Similar oriya poem from Inspirational