କନିଷ୍ଠ ଶହୀଦ୍ ବାଜିରାଉତ
କନିଷ୍ଠ ଶହୀଦ୍ ବାଜିରାଉତ
ଇତିହାସ ବୁକେ ଅତୀତ ଗାଥା ପୃଷ୍ଠା ମଣ୍ଡିଛି
ପରାଧୀନତାର ଯାତନା କଥା କହି ଦେଉଛି । ୧
ଦେଶପ୍ରେମ ସ୍ରୋତେ ବାହିତ ଟିକି ବାଜି ରାଉତ
ବାର ବରଷ ରେ ଦେଖାଏ କେତେ ଗୁଣ ମହତ ।୨
ବୟସ ଅଳପ କଳ୍ପନା କଳ୍ପ ପ୍ରେମେ ବିଭୋର
ସ୍ଵାଧୀନତା ଅର୍ଥ କି ଅବା ବୁଝେ ବାଜିଆ ବୀର ।୩
ବ୍ରାହ୍ମଣୀ ନଦୀର ବକ୍ଷରେ ବହେ ପୁଣ୍ୟର ସ୍ରୋତ
ପାରିହେବା ପାଇଁ ଭାସଇ କେତେ ନବୀନ କାତ |୪
ଚିର ସୁନ୍ଦରତା ମଣ୍ଡନେ ଗ୍ରାମ ରୂପ ବିଭବ
ନୀଳକଣ୍ଠ ପୁର ସତେ କି ଶିବ ଙ୍କର ବୈଭବ |୫
ପିତା ସଂସ୍କାରରେ ମଣ୍ଡିତ ସେ ଯେ ବାଜିଆ ବୀର
ବ୍ରାହ୍ମଣୀ ନଦୀର ନାବିକ ମନେ ସାହସ ଘେର | ୬
ବାର ବରଷର ବାଜିଆ ଦୀକ୍ଷିତ ଦେଶ ପ୍ରେମେ
ସ୍ଵାଧୀନତା ଅର୍ଥ କି ବୁଝେ ମନ ଦୃଢ଼ ସଂଭ୍ରମେ । ୭
ଜୀବନ ଉଦୟ ହୋଇଛି ପହଞ୍ଚିନି ମଧ୍ୟାହ୍ନେ
ତଥାପି ମନ ସମର୍ପଣ ତା ଦେଶର ଦୁରୁଦିନେ । ୮
ଚାରିଆଡେ ଶୁଭେ ସଂଗ୍ରାମ ଫିରିଙ୍ଗିଙ୍କ ବିରୁଦ୍ଧେ
କନିଷ୍ଠ କରିଲା ଗରିଷ୍ଠ କାର୍ଯ୍ୟ ବ୍ରାହ୍ମଣୀ କାନ୍ଦେ ।୯
ଐକାନ୍ତିକ ପ୍ରେମ ମନରୁ ଭୟ ପୋଛି ଯେ ଦେଲା
ବାଜିଆ ବାଳକ ନାବରେ ବୋଲ ଅମାନ୍ୟ କଲା । ୧୦
ଘାଟ ପାରି କର୍ମ କ୍ଷେତ୍ରରେ ଫିରିଙ୍ଗିଙ୍କୁ ଅମାନ୍ୟ
ଟିକି ପିଲାଟିର ସାହସ ତାକୁ କରିଲା ଧନ୍ୟ । ୧୧
ମାଟି, ଜାତି କଥା ଭାବିଲା ଟିକି ବାଜି ରାଉତ
ଫିରିଙ୍ଗିଙ୍କ କଥା ମନକୁ କଲାନି ପରାହତ ।୧୨
ଜ୍ଞାନ ବିଜ୍ଞାନର ଉର୍ଦ୍ଧ୍ଵ ରେ ବାଜିଆ ଅନୁଭବ
ଜିଦ୍ ତା ରହିଲା ଅଟଳ ପାରି ଯେ ଅସମ୍ଭବ।୧୩
ପିରିଙ୍ଗିଙ୍କ କ୍ରୋଧ ଅଗ୍ନିକୁ ସିଏ ଭୟ କରିନି
ଦେଶ ଜାତି ପାଇଁ ଛାତିରେ ଗୁଳି କଲା ବରଣୀ ।୧୪
ଦେଶପ୍ରେମ ତାର ଅମୀୟ ଭାବ ଅମୃତ ମଖା
ଫିରିଙ୍ଗିକୁ ପାରି କରିନି ସେତ ଦେଶର ସଖା । ୧୫
ବାର ବରଷର ବାଳୁତ ଦେଲା ଛାତି ପତେଇ
ଗୁଳିରେ ଟଳିଲା ବାଜିଆ ବ୍ରାହ୍ମଣୀ ବୁକେ ଯାଇ ।୧୬
ମାନବିକତା ର ପତନ କେତେ ଯାତନା ଦେଲା
ପରାଧୀନତାର ଗାଥାରେ ଏକ ପୃଷ୍ଠା ଯୋଡ଼ିଲା । ୧୭
ବାଳୁତ ବାଜିଆ କାହାଣୀ ଖାଲି କାହାଣୀ ନୁହେଁ
ଆମ ଜାତି ଗର୍ବ ଗୌରବ ପୁଣି ପ୍ରେରଣା ଦିଏ । ୧୮
ଟିକି ସଂଗ୍ରାମୀଟି କି ବୁଝିଥିଲା ସ୍ୱାଧୀନ ଅର୍ଥ
ଦେଶପ୍ରେମ ସ୍ରୋତ କିଭଳି ଅବା ହେଲା ଗ୍ରହୀତ । ୧୯
ଟିକି ମନ ନେଇ ଡରିନି ହୁଡି ନାହିଁ କର୍ତ୍ତବ୍ୟ
ଦେଶ ପାଇଁ ପ୍ରାଣବଳୀ ତା ଦିଏ ପ୍ରେରଣା ଦିବ୍ୟ |୨୦
ସ୍ଵାଧୀନତା ଇତିହାସରେ କେତେ ଶହୀଦ ଗାଥା
ସର୍ବ କନିଷ୍ଠ ତ ବାଜିଆ ଆପେ ନୁଅଁଇ ମଥା ।୨୧
ମାନବିକତା ର ପତନ ବାଜି ହାରି ତ ନାହିଁ
ପ୍ରତି ହୃଦୟରେ ଏବେ ବି ସିଏ ଅଛି ତ ଜୀଇଁ ।୨୨
ପ୍ରଥମ ବାଳକ ଶହୀଦ ଆମ ବାଜିଆ ବୀର
ନିର୍ଭୀକତା ତାର ଉତ୍ତୁଙ୍ଗ ମନେ ସାହସ ଘର ।୨୩
ତା ବୀରତ୍ଵ, ତା ଦେଶପ୍ରେମ ତାର ଶୁଚ଼ିନିଷ୍ଠିତା
ପ୍ରତି ହୃଦୟ ରେ ମହକ ଭରେ ଗାଏ କର୍ମ କବିତା ୨୪
ତା ସ୍ମୃତି ଆମର ହୃଦୟେ ଦେଶ ପ୍ରେମ ଯେ ବୁଣୁ
ପ୍ରେରଣାର ଉତ୍ସ ହୋଇ ସେ ଦେଶ ପ୍ରେମ ବଖାଣୁ । ୨
