କଲମ
କଲମ
ନୀରବ ଭାବରେ ଲେଖିଯାଏ ସବୁ
ପୂର୍ଣ୍ଣତାକୁ ଦିଏ ଢାଳି,
ତଥାପି ଥକିନି ଚାଲିବା ବାଟରେ
ଚାଲୁଛି ନିଜକୁ ଜାଳି ।
ବଳୀୟାନ ସେହି ମୋର ପ୍ରିୟ ବନ୍ଧୁ
ସୃଜନୀ ସବୁର ସାକ୍ଷୀ,
ତାହା ମାୟାରେ ସୃଜଇ ସମସ୍ତ
ଥାଏ ମୋର ପାଖା ପାଖି ।
ଯାହା ସେ କରଇ ଶାଣିତ ମୁନରେ
ଅପୂର୍ବ ତା ରୂପରାଜି,
ବାହୁଡି ନେଉଛି ମୋ ସୃଜନୀ ରଥ
ସାରଥି ଟେ ସେହି ସାଜି ।
ଶୃଙ୍ଗାରେ ଭରଇ କାହା ପତ୍ରକୁ ସେ
କାହାକୁ ବିରହେ ଜାଳେ,
ହୃଦୟର କଥା ନିଖୁଣ ଭାବରେ
ଲେଖି ପ୍ରୀତିଭାବ ଢାଳେ ।
ନୁହେଁ ସେ କେବଳ ଲେଖନୀ ଯନ୍ତ୍ରଟେ
ସାଥୀ ମୋର ସେହି ପ୍ରିୟ,
ସୁପ୍ତ ଲୁପ୍ତ ଜାତିକୁ ଜାଗ୍ରତ କରାଏ
ନରଖି ମନରେ ଭୟ ।