STORYMIRROR

SARATA KUMAR DAS

Tragedy

4  

SARATA KUMAR DAS

Tragedy

କଳ୍ପନାରେ ଶ୍ରୀମୁଖ

କଳ୍ପନାରେ ଶ୍ରୀମୁଖ

1 min
414


ଯାଇ ପାରିଲିନି ତୋ ବଡ ଦେଉଳ

ଛୁଇଁ ପାରିଲିନି ତୋ ପୁଣ୍ୟରଥ ,

ଦିବ୍ୟ ଚେତନାର ଲାଗିବକି ଡୋର

ଧାଇଁଯିବି କେବେ ତୋର ଶିରୀକ୍ଷେତ୍ର  

ଦେଖିବି ଶ୍ରୀମୁଖ ସ୍ନିଗ୍ଧ ସୁବାସ  ।।


ବଡଦାଣ୍ଡ ଧୂଳି ମୁଣ୍ଡରେ ମାରିବି

ଅପସରି ଯିବ ମନରୁ ଦୁଃଖ ,

ତୋ ସିଂହ ଦୁଆର ବାଇଶ ପାହାଚ

ମନଲୋଭା ଦୃଶ୍ୟ ଆହା କି ମଧୁର

କେତେ ଯେ ଉଛ୍ବାସ ପରମ ସୁଖ     ।।


ମହୋଦଧି କୂଳେ ଚାଲି ଯିବି ଧୀରେ 

ନୟନେ ଲାଖିବ ତୋ ପାଦ ଚିହ୍ନ,

ଢେଉ ନାଚୁଥିବ ତୋ ମହିମା ଗାଇ

ଚହଲା ପାଣିରେ ଦେଖିବି ତୋ ମୁହଁ

ତୋ ଶ୍ରୀପ୍ରତିବିମ୍ବ ଜ୍ୟୋତି ଅମ୍ଳାନ    ।।


ରତ୍ନ ମଣ୍ଡପରେ ଚତୁର୍ଦ୍ଧା ମୂରତି

ଶୋଭା ପାଉଥିବ ଦୟଣା ମାଳ,

ତୋ ବାଙ୍କ ଚାହାଣୀ ତୋ ମୁରୁକି ହସ

ମନେ ଭରିଦେବ ଅପୂର୍ବ ଆନନ୍ଦ 

କସ୍ତୁରୀ ସୁଗନ୍ଧ ପୁଣ୍ୟର ଫଳ     ।।


ତୋ ମହାପ୍ରସାଦ ଅମୃତର ବାସ

ଖାଇସାରି ମୁଣ୍ଡେ ପୋଛିବି ହାତ,

କୋଇଲି ବୈକୁଣ୍ଠ ଦର୍ଶନ କରିବି

ଲଭିବି ମୁକତି ଉଦ୍ଭାସିତ ହେବ

ତୋ ପୁଣ୍ୟଆଶିଷେ ମୋ ରିକ୍ତ ଚିତ୍ତ       ।।


ତୋ ମୁକ୍ତି ମଣ୍ଡପେ ମୁଣ୍ଡିଆ ମାରିବି

କଳ୍ପବଟେ ତୋର ବାନ୍ଧିବି ଡୋର,

ଶରଧା ବାଲିରୁ ସାଉଁଟି ବି ଶ୍ରଦ୍ଧା 

ଯହିଁ ପାଦଥିବ ତୋ ଭାଇ ଭଉଣୀ  

ତୋ ଶ୍ରୀନନ୍ଦିଘୋଷ ତୋ ଶ୍ରୀପୟର  ।।


ତୋ ମାଉସୀ ଘର ଗୁଣ୍ଡିଚା ମନ୍ଦିର

ପୋଡପିଠା, ପଣା ,ଅନ୍ନ, ବ୍ୟଂଜନ ,

କେତେ ଲୀଳା ଖେଳା ପୁଲକିତ ମନ

ମୁଗ୍‌ଧ ମୂର୍ଚ୍ଛନାରେ ନିନାଦିତ ହେବ  

ଏ ଉପବନ ହେ ଚକାନୟନ   ।।


ଗୋଟିଏ ବରଷ ମାଟିରୁ ଆକାଶ 

ଯନ୍ତ୍ରଣା ଦାୟକ ଗୋଟିଏ ଯୁଗ,

ଦର୍ଶନ କରିବି ତୋ କଳାବଦନ

ଯଦି ଥାଏ ମୋର ପିଣ୍ଡରେ ପ୍ରାଣ

ଓହ୍ଲାଇ ଆସିବ ମାଟିକୁ ସ୍ବର୍ଗ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy