କଳ୍ପନା ଚାୱଲା
କଳ୍ପନା ଚାୱଲା
ମହାକାଶେ ଯାଇ ମହା ଶୂନ୍ୟତାରେ
କି କାରଣେ ଗଲ ହଜି,
ଏବେ ବି ତୁମର ଅଭୁଲା ସ୍ମୃତିକୁ
ଧରଣୀ ଚାଲିଛି ଖୋଜି |
କଳ୍ପନା ଚାୱଲା ନାମ ଥିଲା ତୁମ
କଳପନା ଅସୁମାରୀ,
ଭାରତ ମାତାର କୋଳରେ ଜନମି
ଥିଲ କନ୍ୟା ସୁକୁମାରୀ |
ବନାରସୀଲାଲ ପିତା ଥିଲେ ତୁମ
ମାତାଙ୍କ ନାମ ସଂଝ୍ୟୋତି,
ହରିଆଣା ରାଜ୍ୟ କରନାଲ ଅଟେ
ଜନମ ସ୍ଥାନର ମାଟି |
ଉଣେଇଶି ଶହ ବାସଠି ମସିହା
ମାର୍ଚ୍ଚ ସତର ତାରିଖ,
ଜନ୍ମ ହୋଇଥିଲ ଏ ଧରା ଧାମରେ
ହେବାକୁ କୀର୍ତ୍ତି ମୟୂଖ |
ପିଲାଟି ଦିନରୁ ଅତୀବ ମେଧାବୀ
ଅଧ୍ୟାୟନେ ସଦା ରତ,
ଆକାଶେ ଉଡିବା ଆଶା ଭରି ମନେ
ଖୋଜୁଥିଲ ଭବିଷ୍ୟତ |
ଏରୋନେଟିକାଲ ଇଞ୍ଜିନିଅରିଙ୍ଗ
ସ୍ନାତ୍ତକ ସାରି ଭାରତେ,
ସ୍ନାତ୍ତକୋତ୍ତର ର ଶିକ୍ଷାପାଇଁ ଗଲ
ଆମେରିକା ମହାଦେଶେ |
ଶିକ୍ଷା ସମାପନେ ନାସା ରେ ନିଯୁକ୍ତ
ହେଲ ବୈଜ୍ଞାନିକ ଭାବେ,
ନିଜ ବିଜ୍ଞତାରେ ଶ୍ରେଷ୍ଠ କୃତିତ୍ୱରେ
ହୋଇନାହଁ ପଛ କେବେ,|
ଶତାବ୍ଦୀର ନାମ ଉଣେଇଶି ଶହ
ଶତାନବେ ହୋଇଥିଲା,
ନଭେମ୍ବର ମାସ ଉଣେଇଶି ତିଥି
ପ୍ରଥମ ଉଡାଣ ହେଲା |
ଦୁଇ ହଜାର ର ତିନି ଖ୍ରୀଷ୍ଟାବ୍ଦରେ
ଶେଷ ଯାତ୍ରା ମହାକାଶେ,
ଏକା ତ ନଥିଲ ସହକର୍ମୀ ମାନେ
ରହିଥିଲେ ତୁମ ସାଥେ |
ଏକତ୍ରିଶ ଦିନ ଚଉଦ ଘଣ୍ଟା ଓ
ଶତାବନ ମିନିଟ ଯେ,
ସମୟ ବିତିଲା ପରେ ମହାକାଶେ
ଖୁସିରେ ଫେରିଲ ନିଜେ |
ପ୍ରତ୍ୟାବର୍ତ୍ତନର ବେଳା ଯେ ଅଶୁଭ
ଛୁଇଁବା ପୂର୍ବରୁ ମାଟି,
ମହାକାଶ ଯାନ ସାଥେ ଜଳିଗଲ
ଜଳିଗଲେ ସବୁ ସାଥି |
ତୁମେ ଭାରତର ପ୍ରଥମ ମହିଳା
ଯାଇଥିଲ ମହାକାଶେ,
ତୁମରି ମରଣେ ଅଶ୍ରୁ ବନ୍ୟା ଯେ
ବହିଥିଲା ଏ ଭାରତେ |
ବିଭା ହୋଇଥିଲ ମି.ଜନ ପିଅର
ହାରିସନଙ୍କୁ ପ୍ରେମରେ,
ଚାଲିଗଲ ତୁମେ ନକରି ସଂସାର
ଏକା କରି ସଂସାରରେ |
ଦୁଇ ହଜାର ର ତିନି ଖ୍ରୀଷ୍ଟାବ୍ଦର
ଫେବୃଆରୀ ପହିଲା ଯେ,
ତୁମ ଜୀବନର ଅନ୍ତିମ ଦିବସ
ଶୋଇଗଲ ମୃତ୍ୟୁ ଶେଯେ |
ତୁମେ ଭାରତର ଜଣେ ବୀରାଙ୍ଗନା
ଝୁରୁଛି ଏ ଦେଶ ମାଟି,
ତୁମ ନାମେ ସୃଷ୍ଟି କେତେ ଅନୁଷ୍ଠାନ
ଚିରନ୍ତନ ତୁମ କୀର୍ତ୍ତି |
