କଳ୍ଫନା ବିଳାସ
କଳ୍ଫନା ବିଳାସ
ରୋଚନ ଥିଲେ ବି ଲୋଚନ ନପୂରେ
ଚନ୍ଦ୍ରମୁଖେ ଅବଲୋକି
ସୁରଙ୍ଗ ଚେହେରା କୁରଙ୍ଗ-ମାନସେ
ପାରିନି ଏଯାଏଁ ରୋକି ।
ସସୀମ ହୃଦୟେ ଅସୀମ ସୌନ୍ଦର୍ଯ୍ୟ
ପାରନ୍ତି କେମନ୍ତେ ଭରି
ରୂପର ମଦିରା କୂପର ପାଶେ ବି
ତୃଷ୍ଣା ମୋ' ଯାଇନି ମରି ।
ସଂସାର ବିଷୟ ଅସାର ଯେମିତି
ବିରହେ ହୁଅଇ ପ୍ରତେ
ଉର୍ବର ମଥା ମୋ' ପୂର୍ବର କଥାକୁ
ପାସୋରି ପାରେନି ସତେ ।
କାସାର ଥିଲେ ବି ଆଶାର କଳସ
ସଲିଳେ ଆଉ କି ପୂରେ
ରଜନୀ ବିତେନା ସଜନୀ ଗୋ ଆସ
ଆଶ୍ଳେଷି ନେବାକୁ ଉରେ ।
ବିହାର ଆଗରୁ ସିଂହାର କରିବ
ଥିବି ଯେବେ ଅନିଷାରେ
ଶର୍ବରୀ ଯାପନେ କବରୀ ଫିଟାଇ
ଆସିବ କି ଅଭିସାରେ ?
ବିବାହ ବନ୍ଧନ ନିର୍ବାହ ହୁଅନ୍ତେ
ରହନ୍ତା କି ପ୍ରତିବନ୍ଧ
ବିହିତ ସଂସ୍ପର୍ଶେ ନିହିତ ହୁଅନ୍ତା
ଶବ୍ଦ ରୂପ ରସ ଗନ୍ଧ ।
କାମିନୀ ତନୁରେ ଦାମିନୀ ଖେଳନ୍ତା
ଯାମିନୀଗନ୍ଧା-ସୁମନେ
ଅଧୀରା ଅଧର ମଦିରା ପରଶେ
ଉଲ୍ଲାସ ଭରନ୍ତା ପ୍ରାଣେ ।