ବର୍ଷା ମୋ ପ୍ରିୟା
ବର୍ଷା ମୋ ପ୍ରିୟା


ପ୍ରିୟା ବର୍ଷା ଯେବେ ମୁକୁଳା କୁନ୍ତଳେ
ମନ ମୋର କିଣିନେଲା,
ସେଦିନୁଁ ତା' ସ୍ମୃତି ଭାବି ନିତିନିତି
ଆଖିରୁ ନିଦ ହଜିଲା।
ଚଗଲା ପବନ ତା' ମନକୁ ଯେଵେ
ମୋ ହାତେ ଭେଟି ଦେଇଛି,
ସେଦିନୁଁ ମୋ ଓଠୁଁ ଶୁଣିବାକୁ କିଛି
ମୋତେ ସେ ଚାହିଁ ବସିଛି।
ପ୍ରିୟାର ଅଲକ୍ତ ରଞ୍ଜିତ ପୟରେ
ନୂପରର ରୁଣୁଝୁଣୁ,
ଅଳସୀ ଦେହରେ ଶାଢୀଟିଏ ସତେ
ସପ୍ତବର୍ଣ୍ଣୀ ଇନ୍ଦ୍ରଧନୁ।
ନୀଳିମା ଢାଙ୍କିଛି ପ୍ରୀୟାର ମୁହଁକୁ
ମୁହଁ ଲୁଚା ସଞ୍ଜବେଳେ,
ଝିପିଝିପି ମେଘ ଓଦା କରିଦେଲା
ମନକୁ ମୋ ସେତେବେଳେ।
କଞ୍ଜମୁଖୀ ସତେ ସଞ୍ଜବତୀ ଜାଳେ
ମୋ ହୃଦୟ ଅଗଣାରେ,
ମାନିନୀ ପ୍ରିୟାର ଓଢଣୀ ଫାଙ୍କରୁ
ଜହ୍ନ ହସେ ସେତେବେଳେ।
ଅନ୍ଧାର ଘୋଟିଲେ ମୋ ପ୍ରିୟା ଆସୁଛି
ମୂଷଳ ଶ୍ରାବଣ ଧାରେ,
ନେତ୍ରରୁ ତାହାର ଗଳଗଳ ହୋଇ
ସତେ ବର୍ଷା ଅଶ୍ରୁ ଢା
ଳେ।
ପୂରୁବ ଆକାଶ ବାଦଲ ଫାଙ୍କରୁ
ଦିଶିଥାଏ ଯେବେ ରବି,
ମୋ ପ୍ରିୟାର ମନ ମୟୂରୀଟି ନାଚେ
କଥା ମୋର ଭାବିଭାବି।
ପ୍ରିୟା ଆଖିରେ ମୁଁ ସପନ ଦେଖୁଛି
ନିଜେ ତ ଯାଉଛି ହଜି,
ସବୁକଥା ଓଠ କହିପାରେ ନାହିଁ
ତେଣୁ ଲାଜେ ଯାଏ ଭିଜି।
ଲାଜୁଆ ଓଠେ ତା' ଅଧାଅଧା ହସ
ଯଦି ଉଙ୍କି ମାରୁଥାଏ,
ସେତେବେଳେ ସ୍ଵପ୍ନ ରାଇଜରେ କାହିଁ
ମୁହିଁ ନିଜେ ହଜିଯାଏ।
ଲକ୍ଷେରେ ଗୋଟିଏ ପ୍ରେୟସୀ ମୋହର
ଷୋଡ଼ଶୀ ସେ ରୂପବତୀ,
ଉଦାସୀ ମନ ମୋ ପିଆସୀ ପରାଏ
ଝୁରୁଥାଏ ଦିନ ରାତି।
କଳାମେଘି ଶାଢୀ ପ୍ରିୟା ତୁମେ ପିନ୍ଧି
ନିଶୀଥ ବେଳାରେ ଆସ,
ଛଇଳି ମାନିନୀ ପୂର୍ଣ୍ଣ ଯଉବନୀ
ଥରେ ପାଶେ ମୋର ବସ।
ଅଭିମାନ ମନୁଁ ଦୂରେ ଫିଙ୍ଗି ଦେଇ
ମନ ଇଚ୍ଛା ବର୍ଷିଯାଅ,
ମେଣ୍ଟିଯାଉ ମୋର ତୁଷାତୁର ପ୍ରାଣ
ଖିଲିଖିଲି ହସୁଥାଅ।