କ୍ଳାନ୍ତ ପଥିକ
କ୍ଳାନ୍ତ ପଥିକ
ଜୀବନ ପଥର କ୍ଳାନ୍ତ ପଥିକ ସେ
ତଥାପି ବି ଥକି ନାହିଁ
ତଥାପି ବି ଥମି ନାହିଁ
ଚାଲିଛି ଚାଲୁଛି ଦିଗହରା ମନ ନେଇ।
କାନ୍ଧରେ ଝୁଲୁଛି କିଛି ଅର୍ଜିତ ଧର୍ମର ପୁଟୁଳି
ଆଉ ମୁଣ୍ଡ ଉପରେ କରିଥିବା କର୍ମର ବୋଝ
ତଥାପି କାହିଁକି କେଜାଣି
ଏ ଛଳନାର ଝାଞ୍ଜି ତା'କୁ ଚାଲିବାକୁ ଦେଉନି
ହେଲେ କଣ ଦରସିଆଁ ମନଟା ମାନୁଛି!
ତଥାପି ସେ ଥକି ଯାଉନି
କିଛି ଅଭିଳାଷ ମରିଚିକା ତା'କୁ
ଆକୃଷ୍ଟ କରି ଚାଲିଛି ନିରନ୍ତର।
ରାସ୍ତାର ଅନ୍ତରେ କିଛି ଗୁପ୍ତ ଧନର
ଅଦମ୍ୟ ଆକର୍ଷଣ ଚାଲିବାକୁ ବାଧ୍ୟ
କରୁଛି ଅକ୍ଳାନ୍ତ ହୋଇ ଚାଲିବାକୁ।
ଅବଧାବିତ ଇଚ୍ଛାକୁ ପାଥେୟ କରି
ଅବସନ୍ନ ମନକୁ ଆଶା ସିକ୍ତ କରି
ଚାଲୁ ଚାଲୁ ପୁଣି ପ୍ରତିବନ୍ଧକ ସାଜିଛି
ଅପବାଦର ମେଘ ଦୁନ୍ଦୁଭି
ପ୍ରତାରଣାର ଦମ୍ଭୋଳି।
ମନରେ ପ୍ରଶ୍ନର ଉନ୍ମାଦନା ଉଛୁଳି
କହି ଚାଲିଛି ଏ କଣ ଜୀବନର ପଥ?
ପଛରୁ ଅଚିହ୍ନା ସ୍ଵରଟି କହୁଛି
ହଁ ତୋ ଭାବନାର ଅନ୍ତ ନାହିଁ
ତୋ ଆଶାର ମୁକ୍ତି ନାହିଁ
ହେଲେ ଦେଖ ଜୀବନ ପଥ ସରିଗଲା।
ଆଉ ସାମ୍ନାରେ ଦଦରା ମଶିଣାର ଶେଜ
ପଡ଼ିଥିଲା ଛଅ ଖଣ୍ଡ କାଠର ଖଟ ଉପରେ।
କ୍ଳାନ୍ତ ପଥିକଟି ଧାଇଁ ଆସିଥିଲା
ଅସରା ବାଟକୁ ସାରି ଦେଇଥିଲା।
ଅଦମ୍ୟ ଅଭିଳାଷା ଆକାଂକ୍ଷା ଥିଲା
କିଛି ପାଇବାର
ଏବେ ବିରାଟ ପ୍ରଶ୍ନବାଚୀ ଚିହ୍ନଟି
ଆଗରେ ତା' ବିଦ୍ୟମାନ।।