କଳା'ପଟାର ପ୍ରେମ କାହାଣୀ
କଳା'ପଟାର ପ୍ରେମ କାହାଣୀ
ରହସ୍ୟ'ମୟୀ-
ତୁମ ମନ-ଆକାଶ'ଟା
କେତେବେଳେ-
ପୁନେଇଁ-ରାତି'ର
ଛନ-ଛନ ଜନ୍ହ,
ତ' କେତେବେଳେ-
ଉଆଁସ-ରାତି'ର
ପୁଞା-ପୁଞା ଚିକ୍-ମିକ୍ ତାରା,
ଭିଣି ହୋଇ ପଡି'ଥାଂତି-
ଆକାଶ'ଟା ସାରା,
ଯୋଡି-ଯାଡି, ରୁଂଡାଇ-ପୁଂଡାଇ
ବିପର୍ଯସ୍ତ ରାଗ'ସବୁକୁ,
ପଂଚମ-ରାଗେ- ରାଗିଣୀ'ଟିଏ ତୋଳି,-
ନାଭି'ର ଶେଷ-ମୁଂଡ'ରୁ,
ଗାଇବା'କୁ ଯାଇ
ଏକ କାରୁଣ୍ୟତା ଭରା
ପ୍ରେମ'ର ଗୀତି,-
ହୁଏ ଛଂଦ-ହରା
ଦାଂତ'ଚିପି ହସୁ'ଥିବା
ହସକୁରି ତାରା ସମେତ,
ଖତେଇ ହୋଉ'ଥିବା ଆକାଶ'ଟାକୁ
ସାଉଁଟି'ଆଣି ବୁକୁ'ରେ-
ଯୋଡାଇ ଧରିବାକୁ ଇଚ୍ଛା ହୁଏ
ହୃଦୟ'ର ନିବୁଜ-କୋଠରୀ'ରେ
ଡହ-ଡହ ଇଚ୍ଛା
ହେଲେ
ଉଏଁ ନାହିଁ ଜନ୍ହ,
ଯେପରି ତୁମ
ଅନାବିଷ୍କୃତ ମନ
ମୁଁ କଳା'ପଟା ଟିଏ,
ମୋ ଇପ୍ସା'ର ଇଲାକା'ରେ
ଖାଲି ହା-ହୁତାଶ,
ଲେଖି'ହୋଇ ଲିଭି'ଯିବାର
କେତେ'ଯେ ଦୀର୍ଘଶ୍ୱାସ,
ମୋ ବୁକୁ'ରେ ସାଇତା,
ସେ କାହାଣୀ କହେ ଏଇ-
ଦର'ଲିଭା ଅଖ୍ୟର'ର ରେଖା,
ମୋ ଆଖି-ଲୁହ'ରେ
ଧୋଇ-ଯାଇଛି କେତେ ଚକ୍-ଖୋଡି'ର ଗାର
ଲେଖୁ-ଲେଖୁ ଲେଖି'ଦେଇଛ ତୁମେ
ମୋ ପ୍ରଶସ୍ତ-ବୁକୁ'ରେ ଅନେକ ଅଖ୍ୟର,
ପ୍ରେମ" ଶବ୍ଦ'ଟିଏ
ସଂକୁଚିତ ମୁଁ
ମୋ ଭଂଗା-ଗଢା'ର ସଂସାରେ
ସାଇତିଛି କେତେ ଯେ ଯଂତ୍ରଣା
ମୋର ବୁକେ,
ଦର'ଲିଭା ସେଇ-
ଅଖ୍ୟର ବଖାଣେ
ହଁ
ହୋଇ'ଥାଂତି ଅବା ବହି'ଟିଏ-
ଲେଖା-ହୋଇ'ଥାଂତା
ଅଧ୍ୟାୟ-ପରେ ଅଧ୍ୟାୟ,
ଶାହାଜାହାନ୍ ଓ ମମତାଜ'ର
ପ୍ରେମ-କାହାଣୀ
ଅମର-ଅଖ୍ୟରେ,
ଅବା-ହୋଇ'ଥାଂତି ମୁଁ-
ସେଇ ତାଜ'ମୋହଲ
ପ୍ରେମ'ଗୀତି ଗାଉ'ଥାଂତି ଯୁଗ'ପତ୍
ସେ ପଥର ଶଂଖ-ମଲ'ମଲେ
ହେଲେ
ଚକ୍-ଖୋଡି ଗାରେ
ଲେଖା ମୋ ପ୍ରେମ-କାହାଣୀ,
ଲେଖି-ଲିଭାଇବା'ର ଅନିଶ୍ଚିତ'ତା ଭିତରେ
ସର୍ବଦା ଭୀତ-ତ୍ରସ୍ତ ମୁଁ