କଳା ବଦନ
କଳା ବଦନ
ଯାହାଙ୍କର ଲଲାଟରେ କସ୍ତୁରୀ ତିଳକ
ବକ୍ଷ ସ୍ଥଳରେ କୌସ୍ତୁଭମଣି ର ପଦକ
ଶ୍ରୀ ହସ୍ତରେ ବେଣୁ ଆଉ କର ରେ କଙ୍କଣ
ନାସାଗ୍ରେ ମୁକ୍ତା ରତ୍ନ ହୋଇଥାଏ ଧାରଣ
ସର୍ବାଙ୍ଗରେ ଲେପନ ହୁଏ ହରିଚନ୍ଦନ
ସେ ହିଁ କୃଷ୍ଣ , ଯଶୋଦାର ପ୍ରାଣ ଗଣ୍ଠିଧନ
କୋଟିଏ କନ୍ଦର୍ପ ଠାରୁ ବଳି ସେଇ ଶୋଭା
କଳା ବଦନରେ ଚକା ନୟନ ର ଆଭା
ସେ ବଦନ ଦର୍ଶନରେ ଭକ୍ତ ବିମୋହିତ
ବିହ୍ଵଳିତ ହୋଇ କରୁଅଛି ପ୍ରଣିପାତ
ଭକ୍ତି ସହ ଭକ୍ତ କହେ ପ୍ରଭୁ ଜଗନ୍ନାଥ
ଅତି ଶ୍ରଦ୍ଧାରେ କାଳିଆ ଡାକଇ ତ୍ୱରିତ
ଜଗନ୍ନାଥ ହିଁ କାଳିଆ ନାମରେ ବିଦିତ
ଶ୍ରୀମୁଖ କଳା ରୁ ନାମ କାଳିଆ ସାଆନ୍ତ
ଷୋଳ କଳା ଧରି କଳି କାଳେ ଜଗନ୍ନାଥ
କଳାକାର କଳା ପ୍ରିୟ କମଳାଙ୍କ କାନ୍ତ
ସ୍ଵୟଂ ପରଂବ୍ରହ୍ମ କଳା କରିଲେ ବଦନ
ରହସ୍ୟ ଜାଣିଲେ ଧନ୍ୟ ହୋଇବ ଜୀବନ
ହେ କଳା ଶ୍ରୀମୁଖ,ମୁଖ କିମ୍ପା କଲ କଳା
କଳା ରଙ୍ଗ କହେ ସ୍ଵୟଂ ପ୍ରଭୁ ପରା କଳା
ଦାରୁ ରୂପୀ ହୋଇ ମୁଖେ କଳା ବୋଳି ଅଛ
ରହସ୍ୟମୟ ରହସ୍ୟ ତୁମେ ହିଁ ଜାଣିଛ
କଳି କାଳ ଜାଣି କ'ଣ କଳା ହେଲା ମୁଖ!
କଳା ବୋଳି ହେଲା ପରି ଦିଶୁଛି ଶ୍ରୀମୁଖ
କେତେ କଳା ରଖି ଅଛ ଆହେ ନନ୍ଦ ବଳା
ଭକ୍ତ କହେ କାଳିଆର ବଦନ ଟି କଳା
ଷୋଳ କଳା ରଖି ମୁଖ କରିଛ କି କଳା!
ଭକ୍ତ ଡାକୁଛି କାଳିଆ ଦେଖି ମୁଖ କଳା
ସୀମିତ ଜ୍ଞାନର ପରିଧି ଭିତରେ ରହି
କାଳିଆ ସାଆନ୍ତ କଥା ବୁଝି ହେଉ ନାହିଁ
ସାତ ରଙ୍ଗ ତାଲିକାରେ ନାହିଁ କଳା ରଙ୍ଗ
ସାତ ରଙ୍ଗ ମିଶାଇଲେ ହୁଏ କଳା ରଙ୍ଗ
କାଳିଆ କାହ୍ନୁ ର ସବୁ ରଙ୍ଗ ରସ ଅଛି
ସେଇ କଳା ରଙ୍ଗ ହିଁ ମନ ମୋହୁ ଅଛି
କଳା ମୁଖ ପାଇଁ ଭିନ୍ନ ମତବାଦ ଅଛି
କଳିରେ କାଳିଆ ନିତି ଲୀଳା କରୁଅଛି
କାଳିଆ ସାଆନ୍ତଙ୍କ ର ମୁହଁ ସିନା କଳା
ଶରୀରର ରଙ୍ଗ ଅଟଇ ସମ୍ପୂର୍ଣ୍ଣ ଧଳା
ରାଧାରାଣୀ ରହିଛନ୍ତି ଆଲିଙ୍ଗନ କରି
ରାଧା କୃଷ୍ଣଙ୍କ ମିଳନ ଯୁଗ ଯୁଗ ଧରି
ରାଧା ଗୋରୀ କୃଷ୍ଣ କଳା ମିଶି ଧଳା କଳା
ରାଧା କୃଷ୍ଣ ଏକ ଅଙ୍ଗେ ମିଶି ଧଳା କଳା
ମନ ଶରୀର ଏକତ୍ର ହୋଇଛି ଜଡ଼ିତ
ଶ୍ରୀରାଧା ହୋଇଛନ୍ତି ସମ୍ପୂର୍ଣ୍ଣ ସମର୍ପିତ
ଦେହ ଗୋରା ଥାଇ ମୁଖ ହେଲା କିମ୍ପା କଳା
ଭାବ ଥାଇ ବୁଝିବାକୁ ହେବ ପ୍ରଭୁ ଲୀଳା
ଯିଏ ବା ବୁଝିଛି ସେଇ ମିଳନର ଭାବ
ଭାବଗ୍ରାହୀ ଅନୁଗ୍ରହ ନିଶ୍ଚେ ପ୍ରାପ୍ତି ହେବ
ସମ୍ପୂର୍ଣ୍ଣ ସମର୍ପିତ ହୋଇଲେ ଭାବ ହେବ
ପୂର୍ଣ୍ଣ ଭାବ ଜାତ ବଳେ କଳା ଜାଣି ହେବ
କାଳିଆ ସାଆନ୍ତଙ୍କ ର ଅନ୍ୟ ଏକ କଥା
ଦ୍ଵାପର ଯୁଗରେ କୃଷ୍ଣ ଅବତାର ଗାଥା
କଂସ ନାଶ ପାଇଁ ଗଲେ ମଥୁରା ନଗର
ଗୋପ ଗୋପାଙ୍ଗନା କୃଷ୍ଣ ବିହୁନେ ଅଧୀର
ଯଶୋଦା ମାତାଙ୍କୁ କହିଲେ ଧିକ୍କାର କଥା
ନିତି କୃଷ୍ଣ କଥା ଭାଳି ଝୁରି ହେଲେ ମାତା
କଳା ରଙ୍ଗ ହୋଇଗଲା ମାତାଙ୍କ ବଦନ
ସବୁ ବୁଝି କୃଷ୍ଣ ଦେଲେ ମାତାଙ୍କୁ ବଚନ
କଳି କାଳେ ମୁଖ କାଳିଆ ହୋଇ ରହିବ
ମାତାଙ୍କର କଳା ମୁଖ ଆଉ ନ ରହିବ
ନନ୍ଦ ବଳା ବୋଲି ଅଛି ମାତ୍ର ଏକ କଳା
ଜଗନ୍ନାଥ ରୂପେ ଉଭା ଥାଇ ଷୋହଳ କଳା
ସବୁ ପାପ କଳୁଷ କୁ କରିଲେ ବହନ
କଳା ମୁଖରୁ କାଳିଆ ପଦବୀ ଧାରଣ
କଳା ପୁରୁଷ କୃଷ୍ଣ ହିଁ ସ୍ଵୟଂ ଭଗବାନ
କଳିରେ ଜଗନ୍ନାଥ ରୂପରେ ବିଦ୍ୟମାନ
କଳା ଶ୍ରୀମୁଖ କୁ ଚାହିଁ କରେ ନିବେଦନ
କଳୁଷ ତାପ ରୁ ଦୂରେ ରଖ ଏହି ପ୍ରାଣ
କଳା ପ୍ରେମୀ କାଳିଆ ସାଆନ୍ତ ଚରଣରେ
ତନ ମନ ସମର୍ପଣ ହେଉ ଭକ୍ତି ଭରେ ।।
