କିଣି କି ପାରିବା ସୁଖ ଶରଧା
କିଣି କି ପାରିବା ସୁଖ ଶରଧା


ସମ୍ପର୍କ ଡୋରରେ ବନ୍ଧା ଏ ଜଗତ
ସ୍ରଷ୍ଟାଙ୍କ ଅନନ୍ୟ ସୃଷ୍ଟି
ବିଞ୍ଚି ଦେଲେ ସିନା ଅମୀୟ ପରଶ
ସଭିଏଁ ପାରିବେ ତିଷ୍ଟି
ଯେବେ ଥିବ ବକ୍ରଦୃଷ୍ଟି
ନ ପାଇ ଜୀବନେ ସୁଖର ସମ୍ଭାର
ନ ପାରିବେ କେହି ଉଠି ।
ନର ପଶୁପକ୍ଷୀ କୀଟ ତରୁଲତା
ସକଳ ଦେହେ ଈଶ୍ବର
କରିଥାନ୍ତି ବାସ ରୂପ ଭିନ୍ନ ମାତ୍ର
ବୁଝଇ ଯାହା ଅନ୍ତର
ଜିଣି ହୃଦୟ ଅପର
କରେନାହିଁ ହେଳା ଶରଧା ଅମୃତ
ପିଆଇବାକୁ ଅପାର ।
ରାଗ କ୍ରୋଧ ହିଂସା ଈର୍ଷାକୁ ଧରି କେ
ଫୁଟାଇପାରେ କି ହସ
ଧନ ଅର୍ଥ ବଳେ ହୃଦୟ କି ଜୟ
କରିପାରେ ଏ ମଣିଷ ?
ଗରବ ଦମ୍ଭର ବଶ
ନିଜ ସୁପଥକୁ ନିଜ କରି ରୋଧ
ଡାକି ଆଣେ ସର୍ବନାଶ ।
ଏସବୁକୁ ମିତ ଜୀବନ ସହିତ
ଯେବେ ଥିବ ଚିରଦିନ
କିଣି ପାରିବା କି ସୁଖ ଶରଧାକୁ
କେ କି ପଚାରଇ ମନ
ଆମେ ଯେଣୁ ଜ୍ଞାନହୀନ
ଅଜ୍ଞାନ ତମସା ନଦେଖାଇ ଦିଶା
କରୁଥିବ ମୋହାଚ୍ଛନ୍ନ ।