କିଏ ତୁମେ ମୁଗ୍ଧା
କିଏ ତୁମେ ମୁଗ୍ଧା
କିଏ ତୁମେ ମୁଗ୍ଧା ଅବା ନିଶିଗନ୍ଧା
ସପନରେ ଦେଲ ଏମିତି ସ୍ପର୍ଶ
ତୁମ କବରୀର ମହକେ ବିଭୋର
ପ୍ରୀତି ସରସୀରେ ଦେଲି ମୁଁ ଝାସ ।
ମୃଦୁ ଶିହରଣ ହୃଦୟ ସ୍ପନ୍ଦନ
ବଢିଗଲା ଗତି ମିଠା ଦହନେ
ଅବ୍ୟକ୍ତ ପିପାସା ପ୍ରୀତିସୁଧା ଆଶା
ଜାଗିଉଠିଥିଲା କ୍ଷଣେ ପରାଣେ ।
ରାତ୍ରିର ବକ୍ଷରେ ପ୍ରୀତି ଆବେଗରେ
ସିକ୍ତ ହୋଇଗଲା ମୋ' ତନୁମନ
ଯଉବନ ଟାଣେ ପୁରୁଷତ୍ୱ ପଣେ
ଅଭିଳାଷ ଉଭା ଦେ' ଆଲିଙ୍ଗନ ।
ବୀର ସମ ମନ ହୋଇଲା ଉଚ୍ଛନ୍ନ
ପ୍ରସାରିଲି ହସ୍ତ ମୁହିଁ ଉଲ୍ଲାସେ
ତୋଳିନେବି ବୋଲି ହୃଦ ଦ୍ୱାର ଖୋଲି
ନିର୍ଜନ ନିଶିଥେ ବକ୍ଷ ପ୍ରଦେଶେ ।
ଅଦୃଶ୍ୟ ହେବାକୁ କାଉଁରୀ ବିଦ୍ୟାକୁ
ପ୍ରୟୋଗ କରିଲ ଭାବନା ଲୁଟି
ଉନ୍ମୁକ୍ତ ନୟନ ନ ପାଇ ଦର୍ଶନ
ନିରବେ ଲେଖୁଛି ତୁମକୁ ଚିଠି ।