STORYMIRROR

Alaka Dash

Classics Others

3  

Alaka Dash

Classics Others

କିଏ କହେ ତୁମେ

କିଏ କହେ ତୁମେ

1 min
194


କିଏ କହେ ତୁମେ ଅସରା ପସରା 

ମଧୁମୟ ମଧୁଗୀତି, 

ମଧୁମୟ ବନେ ମଙ୍ଗଳ ଲତିକା 

ଶୁଭ୍ର ବନାନୀ ର ରାତି l

କିଏ କହେ ତୁମେ ଚୋରା ଚଇତିର 

ମଳୟର ମଧୁ ଗନ୍ଧ, 

ଫଗୁଣର ଫଗୁ ଭରା ଯାମିନୀ ର 

ପ୍ରଣୟ ର ପ୍ରତି ଛନ୍ଦ l

କିଏ କହେ ତୁମେ ମାନିନୀ ରାଧାର 

ଯମୁନାର କଳା ଚାନ୍ଦ, 

ଗୋପ ନାରୀ ପାଇଁ ଗୋପନ ପେଟିକା 

ରସିକ କଳା ମୁକୁନ୍ଦ l

କିଏ କହେ ତୁମେ ରାଧା ମୀରା ପାଶେ 

ନିଜକୁ କରିଛ ବନ୍ଦୀ, 

କିଏ କହେ ତୁମେ ଭକତର ସାଥେ 

ନିଜକୁ ଦେଇଛ ଛନ୍ଦି l

କିଏ କହେ ତୁମେ କ୍ଷମାର ସାଗର 

ଶୁଭ୍ର ଶରତର ଇନ୍ଦୁ, 

କେଉଁ ଦୋଷେ ମୋତେ ଦଣ୍ଡୁଛ ହେ କୁହ 

ଦିନ ବିତେ କାନ୍ଦୁ କାନ୍ଦୁ l

କାହା ପାଇଁ ତୁମେ ପୁନେଇଁ ର ରାତି 

ମୋ ପାଇଁ ଅମା ଅନ୍ଧାର, 

ରାଜ ଦାଣ୍ଡେ ଆଜି ସର୍ବହରା ମୁଁ 

ବାଟ ଚାହିଁଛି ତୋର l

କିଏ କହେ ତୁମେ ଭାବଗ୍ରାହୀ ପ୍ରଭୁ 

ଭକତ ର କୃପା ସିନ୍ଧୁ, 

ଚାତକିନୀ ସାଜି ଚାହିଁଛି ଆଜି ମୁଁ 

ନ ମିଳିଲା କୃପା ବିନ୍ଦୁ l

କରିବିନି ଅଳି ଅଝଟ ହୋଇ ମୁଁ 

ମାଗିବିନି ଆଉ କିଛି, 

ଗଡିଲାଣି ସଞ୍ଜ ମେଲାଣି ଦିଅ ହେ 

ସୁଖେ ମୁଁ ଯିବି ଲେଉଟି l

ବିଷୟା ବିଷ କୁ ଲୋଡ଼ା ନାହିଁ ମୋର 

ନାହିଁ ମୋ କିଛି ମାଗଣା, 

ତୁମ ଜପା ମାଳି କରିଛି ସଙ୍ଖାଳି 

ସେହି ମୋ ବାଟ ପାଉଣା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics