ପଖାଳ ପ୍ରିୟ ଜଗନ୍ନାଥ
ପଖାଳ ପ୍ରିୟ ଜଗନ୍ନାଥ
ପଖାଳ ପ୍ରିୟ ମୋ କାଳିଆ ଦିଅଁ ଲୋ
ମୋ ଜାତି ମଉଡ ମଣି
ରାଜା ହୋଇ ସିଏ ଶରଧାରେ ନିତି
ଭୁଞ୍ଜଇ ପଖାଳ ପାଣି ।
ପଖାଳ ନହେଲେ କାଳିଆ ଆଖିରେ
ଆସେନାହିଁ ଜମା ନିଦ
ସଜ ତୋରାଣିରେ ଦୂର ହୁଏ ତାର
ସାରା ଦିନ ଅବସାଦ।
କେତେବେଳେ ଦହି କେତେବେଳେ ଘିଅ
ପଖାଳେ ମିଶାଇ ଖାଏ
କଦଳୀ ଭଜାକୁ ସୁଆଦିଆ ଶାଗ
ମନକୁ ତା ମୋହି ନିଏ ।
ଚିପୁଡା ପଖାଳେ ଖଣ୍ଡ ବସା ଦହି
ମହକ ଯାଏ ଲୋ ବୁଣି
ନିଇତି ରାତିରେ ପରସନ୍ତି ଆଣି
ମାଆ ଲକ୍ଷ୍ମୀ ଠାକୁରାଣୀ।
ପାଣି ପଖାଳରେ ସୁବାସିତ ଜଳ
ଅଦାରସ ଜିରା ଭଜା
ଟଭା ପଖାଳକୁ ମଲ୍ଲି ପଖାଳ ତ
ଛପନ ଭୋଗରେ ସଜା ।
ଭକତେ ପାଗଳ ପିଇବାକୁ ତାର
ପଖାଳ ଟଙ୍କ ତୋରାଣି
ତୋରାଣି ନୁହଁଇ ଭକତିରେ ଭରା
ଭାବର ପାଦୁକ ପାଣି ।