STORYMIRROR

Alaka Dash

Others

3  

Alaka Dash

Others

ଆଶାବରୀ

ଆଶାବରୀ

1 min
212

  

ଆତ୍ମ ବଳୀଦାନେ ଗଢ଼ିଲି କଣ୍ଢେଇ 

ମମତାର ସଳିତାରେ ଜାଳି 

ଅନୁରାଗ ର ଦୀପାଳି 

ଜହ୍ନ ମାମୁଁ ଡାକି ବାଣ୍ଟିଲି ମମତା 

ନାନା ବାୟା ଗୀତ ଗାଇ 

ଶୁଣାଇଲି ଜୀବନ ଚାଳିଶା 

ନିଦ ମାଉସୀକୁ ଡାକି 

ଶୁଆଇଲି କୋଳେ, 

ସମୟର ଛନ୍ଦେ ରଙ୍ଗ ଭରି 

ସଜାଇଲି କଣ୍ଢେଇରେ ରାଜକୁମାରୀ, 

ତେଲ ହଳଦୀର କୋଷରଙ୍ଗା ଦେହ, 

ଝଟକିଲା ସୂର୍ଯ୍ୟ ମୁଖୀ ପରି 

କେଉଁ କାଲସି ର ନଜର 

ପଡିଲା କେଜାଣି 

ମାୟାବିନୀ ର ମୁଖା ପିନ୍ଧି 

ସୁଖ ସପନ ଦେଖାଇ, 

ରାଜ ଉଆସର ସୁଆଦ ଚଖାଇ, 

ପକ୍ଷୀ ରାଜ ଘୋଡା କାହାଣୀ ଶୁଣାଇ, 

ରାଣୀ କରିବାର ପ୍ରତିଶୃତି ଦେଇ 

ବାର ବାର କରି ପ୍ରଲୋଭିତ, 

କପଟେ ମାଗି ନେଲା 

ମୋ ମାନସ କଣ୍ଢେଇ, 

ମୋ ହସ ଲୁହ ସାଥୀ 

ନୟନର ଜ୍ୟୋତି, 

ନିରୀହ ନିଷ୍କପଟ ମାତୃତ୍ୱ ଭୁଲିଲା, 

ମମତାର ରାହା, ଅନୁରାଗର ଅନୁକମ୍ପା, 

ଭାବିଲିନି ଆଗପଛ କିଛି, 

କ୍ଷଣକରେ ଯାଚିଦେଲି ମାତୃତ୍ୱ ର ମୋହ, 

ବଦଳିଲା ସମୟର ଚକ, 

ପାଣି ଫଟକା ପରି 

ସବୁ ନିଶ୍ଚିହ୍ନ, ବିଲୁପ୍ତ 

ଅସ୍ତରାଗର ଆକାଶେ, 

ପ୍ରତିଶୃତି ପାଣିର ଗାର, 

ଶୋଷକ କୀଟ ଶୋଷି ନେଲା 

ମୋ ସୁଖ କଣି, 

ସମୟର ଜୁଆର ଭାଙ୍ଗି ଦେଲା, 

ସୁଖ ସପନ ର ବାଲି ଘର, 

ସ୍ନେହ ସରାଗ ହଜାଇ, 

ଅନ୍ଧ ମାତୃତ୍ୱ ସର୍ବହରା ର 

ବୀଣା ବଜାଇ, 

ଉଜାଗରେ କାଟୁଛି ଯାମିନୀ, 

ପ୍ରତାରଣା ର ନାଟକେ 

ନାୟକ ସାଜି ସୈତାନ, 

ଜଲ୍ଲାଦ ର ଜମ୍ବୁ ଦ୍ୱୀପେ 

କରିଛି ବନ୍ଦିନୀ, 

ଲୁହ ଦରିଆ ରେ ଭାସୁଛି 

ମମତା କଣ୍ଢେଇ, 

ରାଣୀ ନୁହେଁ, ଭିକାରୁଣୀ ବେଶେ, 

ଲହୁ ର ସମ୍ପର୍କ ବନ୍ଧା ଆଜି 

ଲୌହ ଶିକୁଳିରେ, 

ପ୍ରତାରଣା ର ତୀକ୍ଷ୍ଣ ଶରାଘାତେ

ଆହତ ମାତୃତ୍ୱ ମୋର ଝରିଯାଏ 

ଅନୁତାପର ଲହୁ ଲୁହ ଭରା 

କବିତା ଗାରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍