କିଛି ଶେଷ କଥା
କିଛି ଶେଷ କଥା
ବହୁଦିନ ପରେ ତୁମ ସହ ଦେଖା
ଜୀବନର ସନ୍ଧ୍ୟା ତୀରେ,
ସେମିତି ତ ଅଛ କିଛି ବଦଳିନ
ଅତିକ୍ରାନ୍ତ ବୟସରେ ।
ତୁମେ ଦେଖି ମୋତେ ହସି ଦେଇଥିଲ
ପାରି ମୁଁ ନଥିଲି ହସି,
କେଉଁ ସୁଖ ଅବା ପାଇଛି ଜୀବନେ
ହେବାପାଇଁ ଟିକେ ଖୁସି ।
ତାରୁଣ୍ୟର କେଉଁ ଦୁର୍ବଳ ମୁହୂର୍ତ୍ତେ
ଭଲ ପାଇଥିଲ ମୋତେ,
ଢାଳି ଦେଇଥିଲ ଅଫୁରନ୍ତ ପ୍ରୀତି
ହୃଦୟେ ସାଇତା ଯେତେ ।
ତୁମେ ନିଜେ ଦିନେ ଦେହ ଛୁଇଁ ମୋର
କରିଥିଲ ଅଙ୍ଗୀକାର,
କେବେ ବି ଜୀବନେ ଭୁଲିଯିବ ନାହିଁ
ସାଥି ହେବ ଜୀବନର ।
କିନ୍ତୁ ପାରିଲନି ତୁମ କଥା ରଖି
ଚାଲିଗଲ ବହୁଦୂରେ,
ଐଶ୍ୱର୍ଯ୍ୟ ଲୋଭରେ ଭୁଲି ଚାଲିଗଲ
ରହିଲ ନୂଆ ସଂସାରେ ।
ଶେଷ ଦେଖାବେଳେ କହି ଯାଇଥିଲ
କିଛି ତୁମ ଶେଷ କଥା,
ଭୁଲିନାହିଁ ତାହା ଏ ଯାଏ ଜୀବନେ
ପାଇ ବି ଚାଲୁଚି ବ୍ୟଥା ।
ତୁମେ ସିନା ନିଜ ସାଥି ବାଛିନେଲ
ସୁଖ ଆଶା ଭରି ପ୍ରାଣେ,
ମୁଁ କିନ୍ତୁ ରହିଛି ଏକାକୀ ଏଯାଏ
ତୁମ ସ୍ମୃତି ରଖି ମନେ ।
ନୀରବ ମୁହୂର୍ତ୍ତେ ମନ ଚାହେଁ କିଛି
କହିବାକୁ ଶେଷ କଥା,
ପାରେ ନାହିଁ କିନ୍ତୁ କାହିଁକି କେଜାଣି
ବିବେକ ଦିଏ ତ ବାଧା ।
ସରି ସରି ଯାଏ ଜୀବନର ଆୟୁ
ଆଉ ଅବା କେତେ ଦିନ,
ନିଃସଙ୍ଗ ଜୀବନ ଅତି ଦୁର୍ବିସହ
ଖୋଜେ ମୁଁ ନିତି ମରଣ ।
ତୁମ ହାତ ଶଙ୍ଖା ମଥାର ସିନ୍ଦୁର
ଝଟକୁ ଥାଉ ଏମିତି,
ଏଇ ଶେଷ ଆଶା ଶେଷ କଥା ଆଉ
କହିବାର ନାହଁ କିଛି ।