ଖରୀ
ଖରୀ
ପାହାନ୍ତା ପହରୁ ଉଠଇ ଖରୀ
ପହଁରା ଡ଼ାହାଣ ହାତରେ ଧରି
ଜେମାଶୁଣୀ ବେଢା କରଇ ସଫା
ଆଶା ନାହିଁକରେ ମିଳୁ ମୁନାଫା
କାନମୂଳେ ଖଣ୍ଡେ ଖଣ୍ଡିଆ ବିଡ଼ି
ଗେରୁଆ ଗାମୁଛା ଅଣ୍ଟାରେ ଭିଡି
ଖରକି ଦେଉଛି ସବୁ ପତର
ଚିଂଛିଦିଏ ଜଳ ପଢି ମନ୍ତର
ନିମନ୍ତ କି ମଉଛୁକରେ ଖରୀ
ପତର ଉଠାଏ ଟୋକେଇ ଭରି
ସରଳ ମଣିଷ ନଜାଣେ ଚନ୍ଦ
ପଞ୍ଚେନାହିଁ କେବେ କାହାରି ମନ୍ଦ
ବାପ ମା ବୁଢ଼ୀ ତା କାନ୍ଧେ ବନ୍ଧା
ଭାରିଜା ତାହାର କାମକୁ ମାନ୍ଦା
ଅଭାବରୁ ଜମି ଦେଇଛି ବିକି
ଘରଢି଼ଅ ସାହୁ ନେଇଛି ଠକି
ବଖରେ କୁଡ଼ିଆ ଗୁଂଜୁଛି ମୁଣ୍ଡ
ମୂଲଲାଗି ନିତି ବଚିଛି ପିଣ୍ଡ
ପଚାରିଲି ଖରୀ କେଉଁଥି ପାଇଁ
ବେଢା ନିତିଦିନ ଖରକୁ ଯାଇଁ
ରହିଗଲା ଟିକେ ମୁରୁକି ହସି
କିସକହିବିମୁଁ ତୋପାଖେ ବସି
ଠାକୁରଙ୍କ ରଥେ କାହିଁକି ରଜା
ଖରକନ୍ତି କିସପାଆନ୍ତି ମଜା
ମୋଭିତର କୁହେ ହାରିଲି ଆଜି
ସେ ଖାଣ୍ଟି ମଣିଷ ଆମେତ ପାଜି
ଖୋଜୁଥାଏ ମନ ଖରୀକୁ ନିତି
ପଢିବାକୁ ତାର ଜୀବନ ଗୀତି
