STORYMIRROR

Sasmita Mohapatra

Fantasy Others

3  

Sasmita Mohapatra

Fantasy Others

ଖଣ୍ଡଗିରି

ଖଣ୍ଡଗିରି

1 min
442

ପଥର ଦେହରୁ ଉତ୍କଳର ଛାପ

ଲିଭିନାହିଁ ,ଲିଭିନାହିଁ

କୁହ ଖଣ୍ଡଗିରି ସୁପ୍ତ ଶରୀରେ

କାହାକୁ ରହିଛ ଚାହିଁ ?


ଦେଖିଅଛ ତୁମେ ଦୁର୍ଦ୍ଦିନ ବେଳ

ଉଷୁମ ରକ୍ତର ହୋଲି

ବନ୍ଧୁକ ମୁନରୁ ଅହରହ ଖାଲି

ଛୁଟି ଯାଉଥିଲା ଗୁଳି।


ଅକାଳେ ଝରିଛି ବେଦନା ଶ୍ରାବଣ

ଦେଖିଅଛ ହୋଇ ସାକ୍ଷୀ

ଆଜି କ'ଣ ସେହି ବିପ୍ଲବର ଅଗ୍ନି

କୁହ ରହିଥିଲା ବାକି?


ତୁମ ପାଦତଳ ମାଟି ସବୁ ଖାଲି

ରୁଧିରେ ହୋଇଛି ନାଲି

ବୋହି ଯାଇଅଛି ଲୁଣିଆ ନଈଟେ

ଓଡିଆଣୀ ଅଶ୍ରୁବାରି


ତୁମେ ଲେଖାଅଛ ପ୍ରୀତିର ତୂଳୀରେ

ଇତିହାସ ଗର୍ଵ ନେଇ

ଓଠ ଖୋଲି ତୁମେ କହିଦିଅ ଥରେ

ଗୁମସୁମ୍ ଆଜି କାହିଁ ? 


ପ୍ରତିଧ୍ବନି ତୋଳେ ତୁମରି ଗୁମ୍ଫା

ଆର୍ତ୍ତନାଦ ଅତୀତର

ବୌଦ୍ଧଭିକ୍ଷୁ କେଉଁ ପଥର ଫାଙ୍କରେ

ଖୋଜୁଥିଲେ ଶାନ୍ତିସ୍ବର।


ଉତ୍କଳ କି ଆଜି ଶାନ୍ତିରେ ହସୁଛି

ଛାଡି ହିଂସା ତୋର, ମୋର

ସେହି ଦିନ ଆଉ ଏ ଦିନ ଭିତରେ

ହୋଇଛି କି କିଛି ଦୂର ?


ସେଥିପାଇଁ କ'ଣ ନିର୍ଜୀବ ଶରୀରେ

ପଡିଅଛ ରହି ଚାହିଁ

ସ୍ବାର୍ଥର ତିମିରେ ଅତ୍ୟାଚାର ବତୀ

ଲିଭିନାହିଁ ,ଲିଭିନାହିଁ

କୁହ ଖଣ୍ଡଗିରି ସୁପ୍ତ ଶରୀରେ

କାହାକୁ ରହିଛ ଚାହିଁ। ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy