କହଲୋ ଶେଫାଳୀ କହ
କହଲୋ ଶେଫାଳୀ କହ
କହଲୋ ଶେଫାଳୀ କହ
କେଉଁ ଅଭିମାନେ ପଡ଼ିଛୁ ତୁ ଶୋଇ
ଭଲ ନାହିଁ କି ତୋ ଦେହ ।
କେଡ଼େ ମନୋହର ତୋ ରୂପ ଲାବଣ୍ୟ
ଶ୍ୱେତ ଲୋହିତରେ ଭରା
କେଉଁ ବିନ୍ଧାଣି ସେ ଗଢ଼ିଦେଲା ତୋତେ
ଦେଖି ହୁଏ ଆତ୍ମହରା
ବସୁଛୁ ତୁ ମହମହ
କେଉଁ ଅଭିମାନେ ।
ସୁଦୀର୍ଘ ସମୟ ବଞ୍ଚି ରହି କେହି
ଜଗତେ ହୋଇନି ବଡ଼
ନିମିଷକ ପାଇଁ ଅସି ଏ ଧରାରେ
ଜିଣୁ ତୁ ହୃଦୟ ଗଡ଼
ତୁ ପରା ଅପରାଜେୟ
କେଉଁ ଅଭିମାନେ ।
ଶରତ ସୁଷମା କରେ ଆନମନା
ଫୁଲେ ଫୁଲେ ଭରି ଧରା
ତୋର ଅବଦାନ କରିଛି ମହାନ
ନିୟତି ନିର୍ଦ୍ଦେଶ ପରା
ଧନ୍ୟ ତୋ ଜନମ ଧନ୍ୟ
କେଉଁ ଅଭିମାନେ ।
ଶେଫାଳୀ ଶେଜରେ ସୂରୁଜ ଉଇଁଲେ
ସୁନେଲି କିରଣ ଢାଳି
ଶତ ଗୁଣ ହୁଏ ସ୍ବର୍ଗୀୟ ସୁଷମା
କିଏ ବା ପାରିବ କଳି
ଲଗାଇ ଦେଇଛୁ ମୋହ
କେଉଁ ଅଭିମାନେ ।
ତୋ ପ୍ରେମରେ ପଡ଼ି ପ୍ରଜାପତି ଭଳି
ଲେଖନ୍ତି କବିତା କବି
ରଙ୍ଗ ତୁଳି ଧରି ଶ୍ୱେତ କାନଭାସରେ
ଚିତ୍ରକର ଆଙ୍କେ ଛବି
ଏଡ଼େ ତୁହି ମହନୀୟ
କେଉଁ ଅଭିମାନେ ।