କହିବାର ନାହିଁ ଅବକାଶ
କହିବାର ନାହିଁ ଅବକାଶ
କହିବାର ନାହିଁ ଅବକାଶ
ଛାତି ତଳେ ଟିକିଏ ବିଶ୍ବାସ
ପ୍ରଶ୍ବାସରେ ତମେ ଅଛ ପ୍ରିୟେ
ସ୍ପନ୍ଦନରେ ଖେଳେ ତୁମ ହସ
କହିବାର ନାହିଁ ଅବକାଶ ।
ପ୍ରଥମ ଦେଖାରେ, ତୁମ ସେ ମୁରୁକି ହସ
ବହୁଥିଲା ତୁମ ଦେହେ କି ଖର ନିଃଶ୍ୱାସ
ଅଜଣା ରୋଗରେ ମୁହିଁ ହୋଇଲି ବେହୋସ
ଅଜଣା ସେ ଆକର୍ଷଣ ମୁଖଭରା ଲାଜ
ତୁମେ ମୋ' ବିଶ୍ୱାସ ବୋଲି
କହିବାର ନାହିଁ ଅବକାଶ ।
କେତେ ଖରା କେତେ ବର୍ଷା କେତେ ଯେ ବସନ୍ତ
ଶେଷ ବସନ୍ତର ଚିଠି କରେ ଉପହାସ
ତୁମ ତନୁ, ଦେହ ମନେ ଲଗାଇଛି ରାସ
କେମିତି କହିବି ?
ତୁମେ, ଶେଷ ଅବଶୋଷ
ତୁମେ ମୋ' ହୃଦସ୍ପନ୍ଦନ-
କହିବାର ନାହିଁ ଅବକାଶ ।
ସେଦିନର ଦୁଇପଦ ମିଠା ମିଠା କଥା
କାନେ ମୋର କହିଥିଲା ଅପୂର୍ବ ବାରତା
ନ ଦେଖି ମୁଁ ନିତି ଦେଖେ
ନ ପାଇ ମୁଁ ପାଇଯାଏ
ଶାଶ୍ବତ ଏ ପ୍ରୀତି ଫୁଲ ଅମର ବିଶ୍ବାସ
ଭଲପାଏ ବୋଲି ପଦେ
କହିବାର ନାହିଁ ଅବକାଶ ।
ଦୂରେ ରବି ଦୂରେ ପଦ୍ମ, ଦୂରେ ଥାଏ କଇଁ
ଶଶାଙ୍କ ସହିତ ପ୍ରୀତି ଅଭେଦ ଅଟଇ
ମନଥିଲେ ମାଧୁରିମା ଅପୂର୍ବ ସଂଯୋଗ
ଶାଶ୍ବତ ପ୍ରେମ ତ ଏଇ ,ନାହିଁ ଦେହ ଭୋଗ
ଗାଉଥିବା ଅନୁକ୍ଷଣେ ପ୍ରୀତିର ଗଜଲ
ଚିରକାଳ ତୁମକୁ ମୁଁ ପାଉଥିବି ଭଲ
ମୁଁ ନିଦାଘ ଝାଞ୍ଜି ଖରା
ତୁମେ କିନ୍ତୁ ବସନ୍ତର ହେସ୍ନାହେକା ବାସ
କେମିତି କହିବି କୁହ
କହିବାର ନାହିଁ ଅବକାଶ ।