STORYMIRROR

Chaturbhuja Sahoo

Fantasy Others

4  

Chaturbhuja Sahoo

Fantasy Others

କେତେ ଭଲ.. ?

କେତେ ଭଲ.. ?

1 min
349


କିଏ ଭଲ 

କେତେ ଭଲ 

କେମିତି କହିବି ...?

କେଉଁ ମାପଦଣ୍ଡରେ ତଉଲିବି ?

କେଉଁ ସବୁ ମାନଦଣ୍ଡ ଲୋଡା 

ତମ ଭଲପଣିଆକୁ ପରଖିବାକୁ... ।


ମୋତେ,

କିଛି ଜଣା ନାହିଁ

ମୁଁ ବୁଝିପାରେ ନାହିଁ 

ମଣିଷକୁ , ମଣିଷର ମଣିଷ ପଣିଆକୁ...

ଗୋଟେ ଖିଆଲି ମନରେ 

ସ୍ବୀକାର୍ଯ୍ଯ ଭାବି,

ସ୍ବୀକାର କରିନିଏ ସବୁକିଛି ... । 


ଅନେକ ଥର ଦେଖିଛି ଆଉ

ଭେଟିଛି 

ମଣିଷର କପଟତା 

ଜଟିଳ ପ୍ରକୃତିକୁ,

ଖୁବ୍ ଅନ୍ତରଙ୍ଗ ଭାବରେ ଅଙ୍ଗେ ନିଭାଇଛି -

ରଙ୍ଗ ପରିବର୍ତ୍ତନ କରୁଥିବା ସ୍ବାର୍ଥନ୍ବେଷୀ ମଣିଷକୁ 

ଆଉ 

ସେମାନଙ୍କ ବିଲକ୍ଷଣ ସବୁ ...।


ମୋତେ ବୋଧେ

ଜଣାନାହିଁ ସେହି ସୂତ୍ର 

ମଣିଷକୁ ଜିଣିବାର ମନ୍ତ୍ର

କିମ୍ବା ଚିହ୍ନିବାର ସରଳ ତନ୍ତ୍ର

ସେଇଥିପାଇଁ ତ 

ସହିବାର ସୀମା ଟପିଗଲ ପରେ 

ମୁଁ ହୋଇଯାଏ ଅଲୋଡା 

ଅସହ୍ୟ ଅସହିଷ୍ଣୁ ଅବୋଧ ମଣିଷଟେ,


ଏଠି ଦିନ ସରେ ରାତି ଆସେ 

ଋତୁଚକ୍ରରେ ପରିବର୍ତ୍ତନ ହୁଏ

ଖରା ବର୍ଷା ଶୀତ ବସନ୍ତରେ 

ଅନେକ କିଛି ଘଟେ  

ଆଉ ସରଳ ନିରୀହ ମଣିଷ ଆଉଟୁପାଉଟୁ ହୁଏ

ଖାପ ଖୁଆଇ ନପାରି ହାରିଯାଏ,

କେବେ

ଲମ୍ବା ଜୀବନ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡେ

ତ କେବେ ଗୁମୁରି ଗୁମୁରି କାନ୍ଦେ 

ନିଷ୍ପାପ ନୀରିହ ଛୁଆ ଭଳି 

ଅଧୈର୍ଯ୍ଯ ମଣିଷ

ଆପେ ଆପେ ବଞ୍ଚିବା ଶିଖେ

ସମୟର ଉଜାଣି ରାସ୍ତାରେ

ଅମଡ଼ାବାଟରେ ....

ବୋଧେ 

ଏଇ ହିଁ ଜୀବନ 

ଆଉ ଜୀବନର ଅନ୍ୟନାମ ସଂଗ୍ରାମ

ଖାସ୍

ଖାପ ଖୁଆଇ ଚାଲିବାକୁ ହୁଏ

ସୁଅର ପ୍ରତିକୂଳେ 

ଉଜାଣି ନଈରେ..... ?


ତେବେ ତମେ କୁହ 

ମୁଁ କେମିତି କହିପାରିବି 

"କେତେ ଭଲ ?"

ହୃଦୟର ପ୍ରତିଟି ସ୍ପନ୍ଦନରେ 

ଧମନୀର ପ୍ରତିଟି ରକ୍ତବିନ୍ଦୁରେ

ଯିଏ ପ୍ରତିଦିନ ମରୁଥାଏ 

ନିତିଦିନ ବଞ୍ଚୁଥାଏ

ଆଉ ଭବିଷ୍ୟତକୁ ଭୁଲିଯାଇ 

ଖୋଜୁଥାଏ ନିଜର ପରିଚୟ !


ସତ କହିଲ 

କେଉଁ ଆୟୁଧରେ

କେଉଁ ଆଧାରରେ 

ମାପି ହେବ ସେମାନଙ୍କୁ

ସେମାନଙ୍କ ଚିତ୍ର ଆଉ ଚରିତ୍ରକୁ...

ମୁଁ ନାଚାର 

ଯଦି ଦରକାର....

ଯାଅ ପଚାରିବ ଈଶ୍ବରଙ୍କୁ

ହୁଏତ ଉତ୍ତର ପାଇଯିବ -

          - "କେତେ ଭଲ ?"


Rate this content
Log in

Similar oriya poem from Fantasy