ଖଗପତି ରଖ
ଖଗପତି ରଖ
ଖଗପତି ଅତି ହେଲାଣି ଦୁଃଖ
ଖରଦୂଷଣ ବଇରୀ ନ ଦେଖ
ଖାଣ୍ଡଵ ଦହନୁ ପାଣ୍ଡବେ ରଖି
ଖସି ଯାଅ ମୋର ବିପତ୍ତି ଦେଖି ହେ
ଖୀରକୁ ରଖି
ଖାର ମିଳାଉଛ ଦେଖି ପରଖି ହେ
ଖୀରକୁ ରଖି
ଖଣ୍ଡିତ ଚନ୍ଦ୍ର ଯେ ଜଟାରେ ରଖି
ଖୋଜନ୍ତି ତୋ ପଦ ରେଣୁ ନିରେଖି
ଖସୁ ଖସୁ ଗଙ୍ଗା ଅଟକି ଦେଖେ
ଖୋସି ରଖିଥିଲ ଯାହାକୁ ନଖେ ହେ
ଖସୁ ମୋ ଦୁଃଖ
ଖଣ୍ଡିତ ବାହୁ ଏ ଆପଦୁ ରଖ ହେ
ଖସୁ ମୋ ଦୁଃଖ।।
ଖୁଦ ଭଜା ମଜା ସୁଦାମା ପାଖେ
ଖାଲି ଦାସିଆର ଶ୍ରୀଫଳ ଦେଖେ
ଖଟା କଷା ପିତା ଶବରୀ ରଖି
ଖୁଆଇଲା ମିଠା ଫଳକୁ ଚାଖି ହେ
ଖାଇଲ ଦେଖି
ଖୁଦ ବରକୋଳି ଭେଦ ନରଖି ହେ
ଖାଇଲ ଦେଖି।।
ଖାଲି ମାଟି ମୁଠେ ମୁ
ହଁରେ ରଖା
ଖାଉଥିଲ ମାଆ କହିଲେ ଦେଖା
ଖୋଲିଦେଲ ମୁହଁ ମାଆଙ୍କୁ ଦେଖି
ଖୋଲା ରହିଗଲା ଜନନୀ ଆଖି ହେ
ଖୋଲା ସେ ମୁଖେ
ଖୋଲା ଆଖି ସାରା ବ୍ରହ୍ମାଣ୍ଡ ଦେଖେ ହେ
ଖୋଲା ସେ ମୁଖେ
ଖୋସି ଶିଖି ପୁଚ୍ଛ ବାମକୁ ରଖି
ଖେଳା କଳା ମେଘେ ମୟଙ୍କ ମାଖି
ଖଞ୍ଜା ଗୁଞ୍ଜା ରୁଞ୍ଜ ହୋଇଛି ଯୋଖା
ଖଚିତ ବୈଦୁର୍ଯ୍ୟ ପଦକେ ଚୋଖା
ଖୋଜେ ଏ ଆଖି
ଖସିଯିବା ଆଗୁଁ ପରାଣ ପକ୍ଷୀ ହେ
ଖୋଜେ ଏ ଆଖି
ଖ ଆଦ୍ୟେ ଅନ୍ତକୁ ଖ ରଖା
ଖଞ୍ଜିତ କାବ୍ୟ କାନ୍ଥକୁ ଝରଖା
ଖୁଣ ନିରେଖି ଗୁଣୀ ଗୁଣ ଦେଖି
ଖବର କହିବ ନଜର ରଖି ହେ
ଖଞ୍ଜିଛି ଦେଖ
ଖ ଅନୁପ୍ରାସ କାବ୍ୟ ମୟୁଖ ହେ
ଖଞ୍ଜିଛି ଦେଖ ।।