କହ ଲୋ ଯମୁନା
କହ ଲୋ ଯମୁନା
କହ ଲୋ ଯମୁନା କାହିଁ ମୋର କାହ୍ନା
ପଚାରୁଛି ରାଧାରାଣୀ
ବିରହ ବେଦନା ସହି ତ ହୁଏନା
ନିନ୍ଦା ଦିଏ ହୃଦ ହାଣି ।
ସେ ବଇଁଶୀଧାରୀ ମନ କଲା ଚୋରି
ଭୂଲିଗଲି ସଂସାରକୁ
କଳସୀକୁ ଧରି ତୋର ଜଳ ଭରି
ଚାହୁଁଥିଲି ତା' ବାଟକୁ ।
ଭାରି କପଟିଆ ମୟୂର ଚୁଳିଆ
ପୀରତିରେ ବନ୍ଦୀ କରି
କରିଲା କିମିଆଁ ଜାଣିଲା ଦୁନିଆ
ଗୋପଦାଣ୍ଡେ ପଡି ହୁରି ।
କଦମ୍ବ ମୂଳରେ ନିଇତି ସଞ୍ଜରେ
ରାସ ରଚି ମାନ ଗଲା
କଳଙ୍କ ସାଥିରେ ମିତ ହେବା ପରେ
କେମିତି ସେ ଭୂଲିଗଲା ?
ଝୁରୁଅଛି ମୁହିଁ ଝୁରୁନୁ କି ତୁହି
ଯମୁନା ଲୋ ସତ କହ
ବଂଶୀ ସ୍ଵନ ପାଇଁ ଆକୁଳ କି ନାହିଁ
ଝରୁନି କି ତୋର ଲୁହ ?
କରିଲା ପୀରତି ଜଗତେ କୀରତ୍ତି
ରଚିଗଲା ପରେ କାହିଁ
ଜାଳିଦିଏ ସ୍ମୃତି କଟେ ନାହିଁ ରାତି
ମନେ କିବା ପଡୁନାହିଁ ?
କହିବି କାହାକୁ ହୃଦ ବେଦନାକୁ
ସହିବି ଆଉ ବା କେତେ
ଦେଖିଲେ କାହ୍ନାକୁ ପଚାରିବୁ ତାକୁ
ଦୂରେଇଲା କାହିଁ ମୋତେ ?