କେତକୀ କିଆ
କେତକୀ କିଆ
ଆମ ଗାଆଁ ତଳକୁ ପଣସ ଗଡ଼ିଆ । ତାର ଠିକ ଉତ୍ତର ଦିଗକୁ ଲାଗି ଲାଗି ରହିଛି ବରୁଆଁ ପାଟ, ପଶ୍ଚିମ ପଟକୁ କୁଶୁନପୁର ପାଟ । ଜୋରକୂଳ ଆଡକୁ ଥିବା ଚାଷ ଚକଡାକୁ କହନ୍ତି ପାଟବର । ଗାଆଁକୁ ଲାଗି ଯାଇଥିବା ବରୀ ସଡକ ଦେଇ ଗୋବିନ୍ଦ ମଠ ଗଲାବେଳେ ଠିକ୍ ପାଟବର ପରେ ପରେ ସଡକ କଡରେ କିଛି ବର୍ଷ ପୂର୍ବେ ଥିଲା ଖାଲି କିଆ ବଣ । ବାଟରେ ଯିବା ଆସିବା କରୁଥିବା ଲୋକଙ୍କୁ କିଆଫୁଲର ବାସ୍ନା ମହମହ ହୋଇ ଖଣ୍ଡେ ଦୂର ପର୍ଯ୍ୟନ୍ତ ବାସି ଉଠୁଥିଲା । ସେହି କେତକୀ କିଆ ଦେଇ ବିଲ ରାସ୍ତାରେ ଗଲେ ପଡେ ମା କୁଞ୍ଜନାହାକାଣୀଙ୍କ ଏକ ଛୋଟିଆ ମନ୍ଦିର । ସେହି ବିଲ ବାଟେ ମୋ ମାମୁ ଓ ମାଉସୀ ଘର ଭୂବନପୁର ଓ ରିଷିପୁରକୁ ବାଟ ଖୁବ୍ କମ ଜଣାପଡେ ।
ରଜ ଓ କାର୍ତ୍ତିକ ପୂର୍ଣ୍ଣିମାକୁ ପାଖ ଆଖ ଅଞ୍ଚଳର ପ୍ରାୟ ସମସ୍ତେ ଗୋବିନ୍ଦ ମଠକୁ ଠାକୁରଙ୍କୁ ଦର୍ଶନ କରିବାକୁ ଯାଆନ୍ତି । ମୋ ମାମୁଙ୍କ ଝିଅ ଶୈଳ ଓ କେତକୀ କିଆ ପାଖରେ ରହୁଥିବା ବାସନ୍ତୀ ଦୁହେଁ ଏକା ସଙ୍ଗେ ପଢନ୍ତି ଓ ଖୁବ୍ ଭଲ ସାଙ୍ଗ । ଆମେ ଗୋବିନ୍ଦ ମଠକୁ ଗଲେ ପ୍ରାୟ ତାଙ୍କ ଘରକୁ ଯାଉ ।
କେତକୀ କିଆର ବାସନ୍ତୀ ପାଖରେ ଅସରନ୍ତି ଗପର ପେଡି । ତାକୁ ପାଖ ପଡିଶା ଲୋକେ ଫୁଲଝରି ବି ସ୍ନେହରେ ଡାକିଥାନ୍ତି । ଥରେ ବାସନ୍ତୀ କଥା ଆରମ୍ଭ କରି ଦେଲେ ଖାଲି କିଆ କେତକୀ କାହିଁକି ଯେମିତି ପାଖ ଆଖର ଅଞ୍ଚଳଟିରେ ରଙ୍ଗ ରଙ୍ଗ ଫୁଲ ଫୁଟିଉଠେ ।
ମୁଁ ଅନେକ ଥର ମୁଗ୍ଧ ଚକିତ ହୋଇ ବାସନ୍ତୀର ଅନର୍ଗଳ ଗପ ଶୁଣିବାର ସୁଯୋଗ ଅବଶ୍ୟ ପାଇଛି । ସେ କହେ ଠିକ୍ ସନ୍ଧ୍ୟା ପରେ ପରେ କେତକୀ କିଆ ରାସ୍ତାରେ ଲୋକେ ଯିବାକୁ ଭୟ କରନ୍ତି, ବହୁତ ସମୟରେ ଛିନା ଛପଟ କାମ ବି ଚୋର ତସ୍କର ଲୋକ କରିଥାନ୍ତି । ବିଲୁଆ ମାନଙ୍କ ହୁକେ ହୋ ସ୍ୱରରେ ଚାରିଆଡ କମ୍ପିଉଠେ । ତାକୁ କିନ୍ତୁ ଆଦୌ ଡର ଲାଗେ ନାହିଁ । ସେ ଛୋଟ ଥିଲା ବେଳେ ଏଇ କିଆ ବୁଦା ଭିତରେ ଥିବା ନିର୍ଜନ ସ୍ଥାନରେ ଦୁଇ ଦିନ ଏକା ଏକା ରହିଛି । ତାଙ୍କର ଜଣେ ପଡିଶା ଦିନେ ରାସ୍ତାରେ ଯାଉଥିବା ଲୋକ ଠାରୁ କିଛି ଜିନିଷ ଚୋରାଇ ନେଇ ଦୌଡି ପଳାଉ ଥିବା ବେଳେ ସେ ଦେଖି ଜୋରରେ ହୁରି ପକାଇଲା । ଲୋକମାନଙ୍କୁ କହିଦେଲା । ସେ ନାଲି ନାଲି ଆଖି ଦେଖାଇ ବାସନ୍ତୀକୁ ଜୀବନରୁ ମାରି ପକାଇବ କହି ଧମକାଇଲା । ଏଣୁ ତା ଡରରେ ସେ କାହାକୁ କିଛି ନ କହି କିଆ ବଣ ଭିତରକୁ ଲୁଚିବାକୁ ପଳାଇଗଲା ।
ସେଇଠି ତା ଆଖି ଲାଗି ଯାଇଥାଏ ତା ମୁଣ୍ଡଟିକୁ କିଏ ଆଉଁସି ଦେଉଥିବାର ଅନୁଭବ କରି ଦେଖେ ତ ଜଣେ ବୁଢୀ ମାତାଜୀ । ସେ ଅଭୟ ଦେଇ ତାକୁ କହିଲେ, ଡରନି ମାଆ । ମୁଁ ଏଇ ଗୋବିନ୍ଦଙ୍କ ଆଶ୍ରିତା । ତୁମ ଘରକୁ ବହୁ ସମୟରେ ଯାଏ । ତତେ ଛୁଆଟି ଦିନରୁ ଦେଖି ଆସୁଛି । ମୁଁ ଏଇଠି ନିରୋଳାରେ ପ୍ରତିଦିନ ଧ୍ୟାନ କରିବାକୁ ଆସେ । ମୋର ଛୋଟ କୁଡିଆଟିଏ ବି ଅଛି । ବାସନ୍ତୀକୁ ତାଙ୍କ ସହିତ କୁଡିଆ ଭିତରକୁ ନେଇ ସୁନ୍ଦର ସ୍ୱାଦିଷ୍ଟ ପୋଡପିଠା କିଛି ଖାଇବାକୁ ଦେଲେ ।
ମାତା କହିଲେ ମାଆ ମନରୁ ଡର କଥା ପାଶୋରି ଦେ । ସବୁବେଳେ କଣ ଗୋଟିଏ କଥାକୁ ଘାରି ହେବା ଓ ଡର ଭୟ ଯୋଗୁ ହଠାତ ବୁଦ୍ଧିଶୁଦ୍ଧି ହରାଇ କିଛି କରି ବସିବା ଠିକ୍ କଥା । ଦେଖ ଝିଅ, ଆଜି ଆମେ ଏଇ ଯେଉଁ ଜାଗାଟିରେ ବସିଛନ୍ତି, ଦିନ ଆସିବ ଗୋବିନ୍ଦଙ୍କ ଦୟାରୁ ଏଇ ଜାଗାଟିର ରୂପ ବି ବଦଳି ଯିବ ।ଦିନେ ଏଇଠି ବି ଗୋବିନ୍ଦ ମଦନମୋହନ ରୂପରେ ବିରାଜମାନ କରିବେ । ଆମ ଗାଆଁର ଦୁଧେଇ ନଈ କୂଳରେ ତ ବଡ଼ ମେଲଣଟିଏ ହୁଏ । ପ୍ରାୟ ବାଉନ ଖଣ୍ଡ ଗାଆଁ ରୁ ଠାକୁର ମାନେ ଦୋଳ ବିମାନରେ ଆସି ତାଙ୍କ ପିଣ୍ଡି ଉପରେ ବସନ୍ତି । ଚାନ୍ଦିନୀ ଉପରେ ଭୋଗ ଲାଗେ । ଲୋକମାନେ ମୁଣ୍ଡରେ ରଙ୍ଗ ବୋଳି ହୋଇ ଭକ୍ତି ବିହ୍ୱଳ ହୋଇ ଉଠନ୍ତି ।ଭଜନ କୀର୍ତ୍ତନ ହରିବୋଲ ହୁଳହୁଳିରେ ସ୍ଥାନଟି ଆନନ୍ଦରେ ଉଛୁଳି ଉଠେ । ମାଆ ତୁ କେଡେ ସ°ସ୍କାରି ଘରର ଛୁଆ । ତୁ ଭଗବାନ ଗୋବିନ୍ଦଙ୍କ ଅଶେଷ ଲୀଳା କଣ ବୁଝି ପାରିବୁ । ଦେଖ ମାଆ ତାଙ୍କରି ଦୟାରୁ ଏଇ ଆମ ଗାଆଁ ବରୁଆଁ ପାଟରେ ବରୁଆଁ, କୁଶୁନପୁରରେ କୁଶ ଓ ଏଇ ପାଖରେ ଦିଶୁଥିବା ରତନଗିରି ପାହାଡରେ କେବଳ ଶାଗୁଆନ ଗଛ ହିଁ ଆପଣା ଛାଏଁ ଗଜୁରି ଉଠୁଛି । ମୋ କଥା ମାନି ଏବେ ତୁ ଘରକୁ ଫେରି ଯାଆ । ସେ ଦୁଷ୍ଟ ଚୋରକୁ ପୁଲିସ ଆସି ବାନ୍ଧି ନେଇ ଗଲାଣି । ତୁ ଭଲ ପାଠ ପଢି ନିଶ୍ଚୟ ବଡ ମଣିଷ ହେବୁ । ସୁଖ ସ°ସାରଟିଏ କରିବୁ ।
ମାତାଜୀଙ୍କ ସହିତ କଥାବାର୍ତ୍ତାରେ କମିତି ଦୁଇଦିନ ଦୁଇ ରାତି କଟିଗଲା ସେ ଆଦୌ ଜାଣି ପାରିଲାନି । ମାତା ତାର ହାତ ଧରି ଆଣି ରାସ୍ତା ପାଖରେ ଛାଡି ଦେଇଗଲେ । ସେ ଘରକୁ ଆସି ବାପା ମାଆଙ୍କୁ ସବୁକଥା କହିଲା । ଧୀରେଧୀରେ ଏ କଥା କାନକୁ କାନ ପ୍ରଘଟ ହେଲା ।
କିଆ ବଣ ସଫା ହେବାରୁ ଗାଆଁ ଲୋକେ ସେଇଠି ପ୍ରଥମେ ଏକ କଣ୍ଢେଇ ମେଲଣ କରୁଥିଲେ । ଏବେ ଏକ ସୁନ୍ଦର ମନ୍ଦିର ଫୁଲ ବଗିଚା ହୋଇ ଜାଗାଟି ଏକ ମନୋରମ ସ୍ଥାନ ପାଲଟି ଗଲାଣି ।
ଦୀର୍ଘ ଚାଳିଶ ବର୍ଷ ପରେ ମୁଁ ମୋ ନିଜ ଗାଆଁକୁ ଫେରି ଆସିଛି । ଅବଶ୍ୟ ଏ ଭିତରେ ମୁଁ ଆଉ ବାସନ୍ତୀର କିଛି ଖବର ରଖି ନାହିଁ । ସୁଖରେ ଥିବ ନିଶ୍ଚୟ । ସବୁ କିଛି ନୂଆ ନୂଆ ଲାଗୁଛି । ଏଇ କାର୍ତ୍ତିକ ପୂର୍ଣ୍ଣିମାକୁ ମୁଁ ନିଶ୍ଚୟ ଗୋବିନ୍ଦଙ୍କୁ ଯାଇ ଦର୍ଶନ କରିବି । ମାତାଜୀ ଓ ବାସନ୍ତୀଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ନିର୍ମିତ ହୋଇଥିବା ମଦନ ମୋହନଙ୍କ ନିକଟରେ କିଆକେତକୀ ଫୁଲ ଚଢାଇ ନିଜକୁ ଅପାର ଭାଗ୍ୟଶାଳୀ ମନେକରିବି ।
-----
