କେଶ ବିନ୍ୟାଶେ କାମିନୀ
କେଶ ବିନ୍ୟାଶେ କାମିନୀ
କରି କରେ କେଶ କେହି କିଶୋରୀ
ଚାଳି ଆନ କର ଆଙ୍ଗୁଳି ଚାରି
ଅସଜଡ଼ା ଜଡ଼ା କେଶ ଗୁଛକୁ
ସଜାଡ଼େ ସରାଗେ ଭିଡ଼େ ପଛକୁ
ପୀଡ଼ା ଲଭନ୍ତେ କିଞ୍ଚିତ ଯେ
ଲଘୁ ତାଡ଼ନା ସମ୍ମିଳିତ ବେଦନା
ଆନନୁ ସ୍ୱତଃ ନିଃସୃତ ଯେ
କନକ ପାନିଆଁ ଚାଳେ କେ ସଖି
ସୁଗନ୍ଧ ତଇଳ ତରଳ ମାଖୀ
ଘେନି ସଘନ କୁନ୍ତଳ ସମ୍ଭାର
ବୁଣେ ବେଣୀ ସହଚରି ସତ୍ୱର
କେରୀ କେରୀ ସୁନା ସୁତା ଯେ
ଗଭା ଭାରି ଭରି ଖଞ୍ଜିଲେ ଚତୁରୀ
ବୈଡୁର୍ଯ୍ୟ ମଣୀ ମୁକୁତା ଯେ
ଯତନେ ଖଞ୍ଜିଲେ ମଥାମଣୀ କି
ଜାଜ୍ୱଲ୍ୟ ଝଲକ ଜ୍ୟୋତି ଖଣି କି
ଜକ ଜକ ଜଳେ ପଦକେ ହୀରା,
କଳା ମେଘେ ଚାରୁ ଚାପଳା ପରା
ଜଡ଼ିତ ମୋତି ପରିଧି ଯେ,
କି ଅବା ଭଣିବା ଶୋଭା ମନଲୋଭା
କେଶ ବିନ୍ୟାଶର ବିଧି ଯେ
ଝିକି ମିକି ଟିକି ଟିକିଲି ଘେନି
ଭୁରୁ ମଧ୍ୟେ ରୋପେ କେହି ତରୁଣୀ
ମରକତ ଟିକି ଟିକି ବିଛେଇ
ନୀଳ ମଣୀ ମଧ୍ୟେ ଦେଇଛି ଥୋଇ
ଏମନ୍ତ ଟୋପା ଟିକିଲି ଯେ,
ଧନ୍ୟ ସେ ସୁନାରୀ ଗଢ଼ିଛି କିପରି
ଚାରୁ ଚିତ୍ରଲେଖା ଭାଳି ଯେ
ନେତ୍ର ଧାରେ ଗାର କଜଳ ଲେଖି
ନିରେଖି ଦେଖେ କେବଣ ସୁମୁଖୀ
ଅଳପ ଲମ୍ବେଇ ରେଖା ଶିଖା କୁ
ଆଲିଙ୍ଗେ ଲୁପ୍ତ ଭୃଳତା ଲେଖା କୁ
କୁରଙ୍ଗୀ ଭଙ୍ଗି ଚାହାଣି ଯେ
ବିନା ଛୁରୀ ବିନା କରତେ କତରେ
ଜୀଗର ଦେବ କି ହାଣି ଯେ
