କେମିତିକା ପାଉ ଶାନ୍ତି
କେମିତିକା ପାଉ ଶାନ୍ତି
ଆଉ ଫେରିବିନି ଜୀବନକୁ ତୋର
ବାରମ୍ବାର ଚେଷ୍ଟା କରି
କାହିଁକି କେଜାଣି କଥା ମୁଁ ରଖେନା
କେଉଁ ଆବେଗକୁ ଭରି
ସ୍ମୃତି ଉଙ୍କିମାରେ ମନ ଅଗଣାରେ
ହୃଦୟରେ ଆଲୋଡନ
ଭୁଲିଯାଏ ସବୁ ପ୍ରତାରଣା ବ୍ୟଥା
ଭାଙ୍ଗିଯାଏ ସବୁ ଟାଣ
ଛଳନାର ବନ୍ଧ ଡେଇଁଯିବୁ ଦିନେ
ପାଇ ମୋର ପ୍ରେମସୁଧା
ଆଶାର ନୀଡ଼ଟେ ପୁଣି ତୋଳିଦିଏ
ସମ୍ପର୍କକୁ ରଖି ବନ୍ଧା
ଜୀବନର ରାହା ଚାଲୁଥିଲି ଏକା
ଥିଲା ନାହିଁ କିଛି ଦୁଃଖ
ଆସିଗଲା ପରେ ଲାଗୁଛି ଯେମିତି
ହଜିଗଲା କାହିଁ ସୁଖ
ତଥାପି ତ କେବେ କରିନି ମୁଁ ଘୃଣା
କରିନାହିଁ କେବେ ନିନ୍ଦା
କାହିଁକି ଖେଳୁଛୁ ପ୍ରୀତି ଖେଳ ସାଥେ
ଜାଳିଦେଇ ମୋତେ ଅଧା
ନୁହେଁ ଆପଣାର ଈର୍ଷା ବୁଝି ମୋର
ନୀରବରେ ଯାଉ ରହି
ଅଭିମାନ ଭାଙ୍ଗି ସ୍ନେହ ଟିକେ ଢାଳି
ଅଧିକାର ଦେଉ ନାହିଁ
ଅନ୍ତରରେ ତୋର ନାହିଁ ପ୍ରୀତି ଝର
ମେଞ୍ଚା ମେଞ୍ଚା ସ୍ୱାର୍ଥ ଭରା
ଉପେକ୍ଷା ତ କେବେ କରିନାହିଁ ସାଥୀ
ଦେଇଅଛି ହାତେ ଧରା
ଅବଦାନ ଏ ତ ପ୍ରେମର ମହତ୍ତ୍ୱ
ମନେ ମନେ ସ୍ଥିର କରି
ନିଜ ଲୁହ ପିଇ ହସୁଅଛି ମୁଖେ
ପ୍ରୀତିସ୍ନିଗ୍ଧ ହୃଦେ ଭରି
ସ୍ୱପ୍ନ ଭରା ମନ ଭାଙ୍ଗିଗଲା ପରେ
ରହିଥିବା ଅବଶୋଷ
ସମୟ ଆସିବ ପଚାରି କାରଣ
କରୁଥିବ ଉପହାସ
ଭାଗ୍ୟ ଦୋଷ ନୁହେଁ ତୋ ମନ କପଟ
ପରିଣାମ ଜାଣେ ସାଥି
ଆଉ କାହା ପାଇଁ ହୃଦୟ ବିସ୍ତାରି
କେମିତିକା ପାଉ ଶାନ୍ତି
