କେଡ଼େ ସୁନ୍ଦର ସେ ଦୋଳ ବିମାନ
କେଡ଼େ ସୁନ୍ଦର ସେ ଦୋଳ ବିମାନ
ଫଗୁଣ ବାସରେ ଉତ୍କଳ ଭୂମିରେ
କେଡ଼େ ସୁନ୍ଦର ସେ ଦୋଳ ବିମାନ !
ଫଗୁ ଦଶମୀରୁ ପଞ୍ଚୁଦୋଳେ ଝୁଲି
ଗାଆଁ ବୁଲନ୍ତି ଶ୍ରୀରାଧାମୋହନ ।
ଚତୁର୍ଦ୍ଦଶୀ ତିଥିରୁ ବରାହ ଦୋଳ
ଆରମ୍ଭ ହୁଅଇ ଗାଆଁ ମେଲଣ,
ଆହା ! କି ସୁନ୍ଦର ଯୁଗଳ ମୂରତି
ଢଳିଢଳି କରନ୍ତି ପଦାର୍ପଣ ।
ଗଉଡ଼େ କାନ୍ଧେଇ ନିଅନ୍ତି ଝୁଲାଇ
କରି ଆଗରେ ଆଲଟ ଚାମର,
ସୁସଜ୍ଜିତ ସେହି ଦୋଳ ବିମାନରେ
ହସନ୍ତି ଶ୍ରୀରାଧା ଜଗଦୀଶ୍ବର ।
ଦେହେ ବୋଳି ଫଗୁ ଗୋପାଳ ବାଳକେ
ହୃଦୟ-ମନ କରି ବୃନ୍ଦାବନ,
ମାତନ୍ତି ଆଗରେ ଲଉଡ଼ି ଖେଳରେ
ପଛରେ ଆସଇ ଦୋଳ ବିମାନ ।
ପଡ଼ଇ ଉଛୁଳି ସେ ମେଲଣ ସ୍ଥଳୀ
ଭକ୍ତି ଗୀତ ଛନ୍ଦ ବାଦ୍ୟ ନାଦରେ,
ଭକତ ଚାଖନ୍ତି ସେ ଭକତି ରସ
ଦେଖି ନିଜ ନିଜ ଚର୍ମ ଚକ୍ଷୁରେ ।
ଭାଇଚାରା ବୁଣି ନିଏ ମନ କିଣି
ବରଷକେ ଥରେ ଦୋଳ ଯାତରା,
ଯୋଖି ଭାବ ଶର ଭକ୍ତେ ବିହ୍ବଳିତ
ଖୋଲି ହୃଦୟରୁ ଭକ୍ତି ପସରା ।
ସାର୍ଥକ ନୟନ କୋଟିଯୁଗ ପୂଣ୍ୟ
ସତେ କି ଦିଅଇ ଦୋଳ ବିମାନ !
ଧନ୍ୟ ଏ ଓଡ଼ିଆ ଧନ୍ୟ ତା' ସଂସ୍କୃତି
ବାନ୍ଧି ରଖିଥାଏ ସକଳ ମନ ।
ରାଧାଗୋବିନ୍ଦଙ୍କ ମାନବୀୟ ଲୀଳା
ଆହା ! କି ଅପୂର୍ବ ଲାଗଇ ସତେ
ବରଷକେ ଥରେ ଶଙ୍ଖାଳି ନେବାକୁ
ଚାହିଁ ରହିଥାଏ ଭକତ ହୃଦେ ।