STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

କେବେ ପଡିବ ମୋହର ଶ୍ରାଦ୍ଧ?

କେବେ ପଡିବ ମୋହର ଶ୍ରାଦ୍ଧ?

1 min
513


ସିଏ ତ କହୁଛି ଇଏ ତ କହୁଛି

   ତୁମେ ବି ତ କହୁଅଛ,

ମୁଁ ବି କହୁଛି ମୁଁ ହଡାବଳଦ

   ତୁମ ସହ ଏକମତ।


କଂସେଇ ହାତରେ ବିକି ଦେବାପାଇଁ

   ଚାଲିଛି ବିଚାର ଫାନ୍ଦ,

ପାଖ ମାଡନ୍ତିନି ମୋ ଦେହରୁ କାଳେ

    ବାହାରୁଛି ଦୁରୁଗନ୍ଧ।


ଗୋଠେ ଅଟକିଲି ନିରେଖ ହୋଇଲି

    ଧରେ ଖାଲି ଥଣ୍ଡା ସର୍ଦ୍ଦ,

ବାଟ ପଥ ମତେ ଦିଶୁନି ଭଲକି

    ହୋଇଗଲିଣି ବି ଅନ୍ଧ।


ହେ ଭଦ୍ରଲୋକ ହେଲି ମୁଁ ଫେରାଦ

    ବୁଝିଲ କି ଭଲମନ୍ଦ,

ବଳନାହିଁ ବୋଲି ବୁଢାହେଲି ବୋଲି

    ମୋତେ ଭାବ ବୁଢାଗଧ।


ଦେହ ଥୁରୁଥୁରୁ,ଆଖି ଜୁଳୁଜୁଳୁ

    ନାକ ମୋର ସୁଡୁସୁଡୁ,

ଅଣ୍ଟା ନୁଡୁବୁଡୁ କଣ୍ଠ ଖୁଡୁଖୁଡୁ

    ଚମଡା ମୋ ଧୁଡୁଧୁଡୁ।


ଖୁଁ ଖୁଁ କାଶ ଛାଡେନା ମୋ ପାଖ

    ବୋହୂ ଗାଳି ଦେଉଥାଏ,

ବାଡ଼ିପଡା ବୁଢ଼ା ମରୁନାହିଁ କାହିଁ

    ଶାନ୍ତିରେ ଶୋଇ ନ ଦିଏ ।


ନେଇ କୋଉ ଜରାଶ୍ରମେ ଛାଡି ଆସ

   ସେଇଠି ସେ ବୁଢା ମରୁ,

ମଣିଷ ଏଠାରେ ଶାନ୍ତି ପାଇଲାନି

    ଏଇ ବୁଢ଼ା ଜଞ୍ଜାଳରୁ।


ଗୋଟେ ବୋଲି ପୁଅ କେତେ ସରାଗରେ

    ନାଁ ଦେଲି ପୂର୍ଣ୍ଣାନନ୍ଦ,

ମୁଁ ନନ୍ଦ ହୋଇ କାନ୍ଧେ ବୋହୁଥିଲି

    ମୁଁ ହତଭାଗା ମାଧ।


ନାତିକି ପାଖକୁ ଛାଡୁ ତ ନାହାନ୍ତି

    ଶୁଂଘେଇ ଦେଇ କି ଗଦ,

ମୋତେ ତ ଛୁଇଁଲେ ସେମାନଙ୍କୁ କାଳେ

    ଡେଇଁବ ରୋଗ ବୈରାଗ। 


ଅରୁଚି ପାଟି ମୋ ଆଇଁଷକୁ ଝୁରେ

    ଜିଭ ଖୋଜେ ଭଲ ସ୍ଵାଦ,

ଶଳା ଶଶୁରଙ୍କୁ ଖୁସି କରିବାକୁ

    ଭଲ ତ ମାଉଁସ ରାନ୍ଧ ।


ବୟସ ବେଳରେ ଇଟା ବୋହିବୋହି

    ଛିଡେଇଛି ମୋର କାନ୍ଧ,

ଆଜି ବୁଢାକାଳେ ପଘାରେ ବାନ୍ଧନ୍ତି

    କରିଛି କି ଅପରାଧ ।


ଦେଖୁ ଦେଖୁ ମୋର ଶେଷକାଳ ହୁଏ

   ପଢିଲେନି ଭାଗବତ,

ତୁଣ୍ଡେ ଦିଅନ୍ତିନି ନିର୍ମାଲ୍ୟ ତୁଳସୀ

   ଦେଲେନି ମହାପ୍ରସାଦ।


କଣ୍ଠ ଗଦଗଦ ମହାପ୍ରଭୁ ରଖ

   ହୋଇଗଲା ଶ୍ୱାସରୁଦ୍ଧ,

ହେ ଜ୍ଞାତି କୁଟୁମ୍ବ ହେ ପରିଜନ

   କୋକେଇ ମୋହର ବାନ୍ଧ।


ରେ କୁମର ମଣି ମୋ ଦୁଃଖୀ ସଙ୍ଖାଳି

    ଲଗାରେ ମୋଠିଁ କାନ୍ଧ,

ଖ‌ଇକ‌ଉଡିକୁ ବିଞ୍ଚି ଗୋବରରେ

     ଲିପିଦିଅ ବାବୁ ଦାଣ୍ଡ।


ବଞ୍ଚିଥିବା ବେଳେ ପାରିଲିନି ତୁଣ୍ଡେ

    ତଥାପି ମୋ ଆଶୀର୍ବାଦ,

ଆଗକୁ ଖାଇବି ଚାହିଁଅଛି କେବେ 

   ପଡ଼ିବ ମୋହର ଶ୍ରାଦ୍ଧ ।


Rate this content
Log in

Similar oriya poem from Tragedy