କବିଟିଏ ହେବି ବୋଲି
କବିଟିଏ ହେବି ବୋଲି
ବହୁତ ଦିନରୁ କବି ହେବାପାଇଁ
ମନେ ଥିଲା ଭାରି ଆଶା
କେମିତି ଲେଖିବି କିସ ବା ଲେଖିବି
ନଥିଲା ମନରେ ଭାଷା
ଯାଇଥିଲି ଦିନେ କବି ସମ୍ମିଳନୀ
ଶୁଣିଥିଲି ଗୋଟେ କଥା
ନଇପଠା ଧାରେ ଲେଖିଥିଲେ କବି
କେତେ ମଧୁର କବିତା
ଖାତା କଲମକୁ ଯତନେ ଧରିକି
ଅଳକା କୂଳକୁ ଗଲି
ଯେତେ ଯାହା ସବୁ ମନକୁ ଆସିଲା
ଖାତାରେ ଉତାରି ଦେଲି !
ସଞ୍ଜ ନଇଁ ଗଲା ଖାତା ସରିଗଲା
କବିତାର ନାହିଁ ଦେଖା
ମନ ମରିଗଲା ଭାବ ହଜିଗଲା
ହତାସେ ଫେରିଲି ଏକା !
ବାଟ ସାରା ଖାଲି ଭାବୁଥିଲି ମୁଁ
କବି କି ପ୍ରକାର ଲୋକ
କେମିତି ଲେଖନ୍ତି ଏତେ ସବୁ କଥା
ଉଡ଼ିଲାଣି ଭୋକ ଶୋଷ !
କି ଯାଦୁ ଜାଣନ୍ତି କେମିତି ଲେଖନ୍ତି
ମରୁଭୂମିରେ ଫୁଟାନ୍ତି ପଦ୍ମ
ସମୁଦ୍ର ଆକାଶ ଚଢେଇ ମଣିଷ
ନେଇ ଗଢି ଦିଅନ୍ତି ନୂତନ ଛନ୍ଦ!
ଆମ ଗାଁ ମାଷ୍ଟ୍ରେ ବହୁ ବଡ କବି
କେତେ ଆଡୁ ଶୁଣିଥିଲି
ତାଙ୍କ ପାଶେ ଯାଇ ନୀରିଭୟ ହୋଇ
ଦୁଃଖ ମୋର କହିଦେଲି
ମାଷ୍ଟ୍ରେ କହିଲେ ଆଣ ସେହି ଖାତା
ଯେତିକି ଲେଖିଛ ସବୁ
ଏପଟ ସେପଟ ପଢାପଢି କରି
ହସିଦେଲେ ମୁଚୁ ମୁଚୁ !
ସବୁ ଜୋଡ଼ିଜାଡ଼ି କି ମନ୍ତ୍ର ଫୁଙ୍କିଲେ
କବିତାଟେ ଦେଲେ ଗଢି
କେତେ ମଧୁର ସେ ମନ ମତାଣିଆ
ଆଶ୍ଚର୍ଯ୍ୟ ଚକିତ ହେଲି !
ଛାତି ମୋର କୁଣ୍ଢେ ମୋଟା ହୋଇଗଲା
ଏତେ ଦିନେ କବି ହେଲି
ବହୁ ଦିନୁ ଥିବା ପୁରୁଣା ସପନ
ସତ ହୋଇଗଲା ବୋଲି
