କବିତାୟନ-19 ଦୁଃଖ-ଅଭାବ ଭାରି ବଢିଆ
କବିତାୟନ-19 ଦୁଃଖ-ଅଭାବ ଭାରି ବଢିଆ
ଦୁଃଖ ଯନ୍ତ୍ରଣା ଭୋକ ଅଭାବ ଅନେକ ଶିକ୍ଷା ଦିଏ,
ଦୁଃଖୀ ହୃଦୟରେ ଈଶ୍ଵର ବସନ୍ତି ଦୁଃଖ ଦୂର ହେବାଯାଏ |
ଯନ୍ତ୍ରଣାରେ ସିନା ହରିରଖ ଶବ୍ଦ ତୁଣ୍ଡରୁ ବାହାରୁ ଥାଏ,
ଭୋକ ହେଲେ ଜ୍ଞାନମଞ୍ଜି ଅନ୍ନ-ଲକ୍ଷ୍ମୀ ମାତା ଖୋଜିବାକୁ ହୁଏ |
ଅଭାବ କଷଣ ସହିଥାଏ ଯିଏ ମହାଶୟ ହୁଏ ସେହି,
ନିଷ୍ଠା ପରିଶ୍ରମ ବଡ଼କରେ ତାକୁ ଅଭାବ ରହିବ କାହିଁ ?
ହାରି ଯାଇଥିବା ମଣିଷ ଖୋଜଇ ଜିତିବାର କଉଶଳ,
ଡରି ଯାଇଥିବା ପ୍ରାଣୀ ଖୋଜିପାଏ ଧାଇଁ ପଳାଇବା ବଳ |
ଆଶଙ୍କାରେ ଥବା ମଣିଷ ମନରେ ଭରିଯାଏ ଭକ୍ତିଭାବ,
ବିପଦରେ ପଡ଼ି ଜୀବ ବିକଳରେ ଇଷ୍ଟ ନାମ ଜପୁଥିବ |
ଅନ୍ଧାରରେ ଥିବା ମଣିଷ ନିଶ୍ଚୟ ଆଲୋକ ଦିଗ ଖୋଜିବ,
କୁଡ଼ିଆ ଯାହାର ପୋଡ଼ିଯାଏ ସିଏ ପକ୍କାଘର ହିଁ ତୋଳିବ |
ସତର୍କ ନଥିଲେ ଦୁର୍ଘଟଣା ଘଟେ କରିବାକୁ ସଚେତନ,
ବାର୍ଦ୍ଧକ୍ୟ ଆସୁଛି ବୁଝାଇ ଦେବାକୁ ହେଲ ତୁମେ ପରିପୂର୍ଣ୍ଣ |
ରୋଗ ଆସିଥାଏ କହିଦେବା ପାଇଁ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅ,
ମୃତ୍ୟୁ ଆସି କହେ-ନୂଆ ରୂପନେବ ପୁରୁଣାକୁ ଛାଡ଼ି ଦିଅ |
