କବିତାର ଅନ୍ତଃସ୍ୱର
କବିତାର ଅନ୍ତଃସ୍ୱର


କବିତା ମୁଁ,ଚିର ଅମ୍ଳାନ ଭାସ୍ବର
ବିଜୟ ମୋ' ଚିରସ୍ଥାୟୀ,
ଜୟ ପରାଜୟ ଯାତ୍ରାର ପଥରେ
ପରାଜୟ ଜାଣିନାହିଁ ।
ବେଳେବେଳେ ହୁଏ ଈଷତ୍ ଆକ୍ରମଣ
ଅସ୍ଥାୟୀ,କ୍ଷଣିକ ପାଇଁ,
ମୋ' ଶବ୍ଦବାଣର ସଂଯତ କ୍ଷେପଣେ
ଆପେ ହୁଏ ଧରାଶାୟୀ !
କଳ୍ପନା ସୁନ୍ଦରୀ ଚିର ସହଚରୀ
ଚିର ସବୁଜ ସଂକଳ୍ପ,
ସଂକଳ୍ପ ତାହାର ସମାଜ ସଂସ୍କାର
ଶପଥ ତା' ବଟ କଳ୍ପ ।
ଜନ୍ମ ଜାତକ ତା' ଶାଶ୍ୱତ ସମୃଦ୍ଧ
ଶବ୍ଦ ଶବ୍ଦର ପୃଷ୍ଠାରେ,
ରଚିବାକୁ ଚାହେଁ ସଂସ୍କାର ସଂସ୍କୃତି
ସମାଜେ ହୃଷ୍ଟଚିତ୍ତରେ ।
ଆଙ୍ଗିକ ଆକୃତି ମାତ୍ର ଅନୁଭୂତି
ଆତ୍ମାରେ ସ୍ୱର୍ଗ ସୁନ୍ଦରୀ,
ବାଧା ଅର୍ଗଳକୁ ଭ୍ରୂକ୍ଷେପ ନ କରି
ଅନୁରକ୍ତା ଅପସରୀ ।
କବିଙ୍କ କୃତିତ୍ବ ସର୍ଵଜନାଦୃତ
ମୁଁ ତାଙ୍କରି ଅନ୍ତଃସ୍ୱର,
ସୁର,ତାଳ ଲୟେ ନୃତ୍ୟର ଛନ୍ଦରେ
ମୁଁ ସଂସ୍କାରୀ କାବ୍ୟଝର ।
ରକ୍ତ ଗୋଲାପ ମୁଁ ମୋ' ଚଲା ପଥରେ
କୋଟି କୋଟି କଣ୍ଟା ବଣ,
ବେଳେବେଳେ ତା'ର ନିଷ୍ଠୁର ଆଘାତେ
ରକ୍ତାକ୍ତ ମୋ' ସୂକ୍ଷ୍ମ ମନ ।
>
ରକ୍ତାକ୍ତ ହେବିନି ମଉଳି ଯିବିନି
ହେବିନି ମୁଁ ସଂକ୍ରମିତା,
ବୀରାଙ୍ଗନା କେବେ ଯୁଦ୍ଧକ୍ଷେତ୍ର ପରେ
ହୁଏ ନାହିଁ ସଙ୍କୁଚିତା ।
ସପନ ମୋହର ସ୍ଥିର ସ୍ଥିତପ୍ରଜ୍ଞ
ସତ୍ୟନିଷ୍ଠ ବସୁନ୍ଧରା,
ସତ୍ୟର ପରୀକ୍ଷା ସଫଳ ସମୀକ୍ଷା
ସେ ସ୍ବପ୍ନ ରୀତି ନିଆରା ।
ହେ କବି,ନମସ୍ୟ ! ସାରସ୍ୱତ ବଂଶ
ଭିତ୍ତି ତୁମ ଗରୀୟାନ୍,
ପଛଘୁଞ୍ଚା ନାହିଁ ତୁମରି ଚରିତ୍ରେ
ଶବ୍ଦବାଣେ ବଳୀୟାନ୍ !
ଅର୍ଥ ଶାସ୍ତ୍ର ସିନା ଆର୍ଥିକ ସ୍ଥିତିରେ
ରଖିପାରେ ଭାରସାମ୍ୟ,
ଶାସ୍ତ୍ର ପରମ୍ପରା ସର୍ବଦା ସୁଫଳା
ସ୍ୱର ଶୃଙ୍ଖଳାରେ ରମ୍ୟ ।
ହେ କବି,ବରେଣ୍ୟ ! ଜ୍ଞାନରେ ନିପୁଣ
ମୁଁ ତୁମର କାବ୍ୟକନ୍ୟା,
କାବ୍ୟ ସୁନନ୍ଦାର ସୁରଭି ସୁଗନ୍ଧେ
ରଚିବା ସୃଜନୀ ବନ୍ୟା ।
ସେଇ ବନ୍ୟା ନୁହେଁ କ୍ଷୀଣାଙ୍ଗୀ ତଟିନୀ
ବହି ଲୀନ ହୋଇଯିବ,
ଜାତି ଇତିହାସେ ପୀୟୂଷ ଆୟୁଷେ
ସ୍ୱର୍ଣ୍ଣାକ୍ଷରୀ ରହିଯିବ ।
ଜାତି ବଳିଷ୍ଠତା ଇତିହାସ ରଚେ
ସମୃଦ୍ଧ ସାହିତ୍ୟ ନେଇ,
ସେଇ ସାହିତ୍ୟରେ ଜାତି ଇତିହାସ
ଗୁଳ୍ମେ ସ୍ୱର୍ଣ୍ଣାକ୍ଷରୀ ହୋଇ ।