କବିତା ଶୂନ୍ୟତାର୍ -୨
କବିତା ଶୂନ୍ୟତାର୍ -୨
କେବେ କେବେ ଲାଗେ ଯେ
ମୋ ଭିତରେ ଖାଲି ମୁଠାଏ ଶୂନ୍ୟତା ଅଛି
ଘରର କେଉଁ କୋଣରେ ବନ୍ଦ ଥିବା
ଠିକ୍ ସେଇ ଆଲମାରି ପରି
କେଜାଣି କେତେ ବର୍ଷରୁ
ସେଇ ଅଳନ୍ଧୁ ଭିତରେ
ସେମିତି ଛନ୍ଦି ହେଇ ରହିଛି ।
କେବେ କେବେ ଲାଗେ ଯେ
ମୁଁ କାହିଁକି ଲେଖୁଛି
ମୁଁ କ'ଣ ପାଇଁ ଲେଖୁଛି
ମୁଁ କିଛି ଲେଖି ପାରିବିନି
କି ଲେଖିବାକୁ ଇଚ୍ଛା ବି ହୁଏନି ।
କେବେ କେବେ ଲାଗେ ଯେ
ଏଇ ଯୁଦ୍ଧ ତ୍ ଜୀଵନ ତମାମ
ଏ କଲମ ଆଉ ଶବ୍ଦ ସହ ଯୁଦ୍ଧ
ସବୁ ପରିସ୍ଥିତିରେ ଦେଖେ ନିଜକୁ
ବାନ୍ଧେ ଶବ୍ଦର ପରିଧି ମଧ୍ୟରେ ଅନ୍ତର କୋହକୁ ।
ବେଳେ ବେଳେ ଖୁବ୍ ଈର୍ଷା ହୁଏ
ସେ ପାହାଡକୁ,ନଦୀକୁ, ଦେଖି
ସେ ପକ୍ଷୀକୁ ,ସମୁଦ୍ର ଢେଉକୁ ଦେଖି
ତାଙ୍କ ପାଖରେ ଦିଗନ୍ତ ବିସ୍ତାରି ଜଳରାଶି ଅଛି
ଦୂରଦିଗବଳୟ ର ଆକାଶ ଅଛି
ଯେଉଁଠି ବନ୍ଦୀତ୍ଵର ପ୍ରଶ୍ନ ହିଁ ନାହିଁ
ସର୍ବଦା ମୁକ୍ତ, ସୀମାହୀନ ।
ଆଉ ମୁଁ..,
ସବୁବେଳେ ନିଜ ଭିତରେ
ଅହରହ ଅଣନିଃଶ୍ବାସୀ
ନିଜ ଭିତରେ ହିଁ ସୀମିତ
ନିଜ ଭିତରେ ହିଁ ଆବଦ୍ଧ,ସୀମାବଦ୍ଧ
ବେଳେବେଳେ ଭାବେ ନିଜକୁ କେବେ
ନିଜଠୁ ମୁକ୍ତି ଦେଇ ହୁଏ କି?
