କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-62 : ପାଦ: : -ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-62 : ପାଦ: : -ଡକ୍ଟର କୃତ୍ତିବାସ ନାୟକ
ମହାଭାରତର ଯୁଦ୍ଧ ଶେଷ ହେଲା, ରାଜା ହେଲେ ଯୁଧିଷ୍ଠିର,
ଦ୍ୱାରକାପୁରକୁ ଫେରିଯିବା ପାଇଁ ବାହାରିଲେ ଚକ୍ରଧର |
ବିଦାୟ ବେଳାରେ କୁନ୍ତୀମାତା ଆସି ଯୋଡ଼ିଦେଲେ ଦୁଇହାତ,
ପୁତୁରା କୃଷ୍ଣଙ୍କୁ ପ୍ରଣାମ କରିଲେ ଗଦଗଦ କରି ଚିତ୍ତ |
ଶ୍ରୀକୃଷ୍ଣ କହିଲେ-ଏ'କି କଥା ମାତା ମୁଁ ପରା ପୁତ୍ର ସମାନ,
ପ୍ରତିଦିନ ମୁହିଁ ମାତା ବୋଲି କହି ତୁମକୁ କରେ ପ୍ରଣାମ |
ମାତା କୁନ୍ତୀଦେବୀ ହସ ହସ ମୁଖେ କହିଲେ-ରେ ମାୟାଧର !
ତୋତେ ମୁଁ ଚିହ୍ନିଛି ତୁହି ନାରାୟଣ ଅବତାରୀ ନିରାକାର |
ସତ୍ୟ ନ୍ୟାୟ ପାଇଁ ନରରୂପ ନେଇ ଅସୁର ମାରିଲୁ କେତେ,
ଗୋପପୁରେ ଥାଇ ମାୟା ଲଗାଇ ତୁ କଲୁ ବାଲ୍ୟଲୀଳା ଯେତେ |
ଦେଖାଇ ଦେ ଆଜି ନାରାୟଣ ରୂପ ମୁହିଁ ହେବି ଜଣେ ଭକ୍ତ,
ମାଗିନେବି ବର ଶ୍ରୀଚରଣେ ପଶି ପତେଇ ଥିବି ମୁଁ ହାତ |
ନାରାୟଣ ରୂପ ଦେଖାଇ ଶ୍ରୀକୃଷ୍ଣ ଯାଚିଦେଲେ ଇଚ୍ଛା ବର,
ଚିରଦୁଃଖୀ ତୁମେ ନିଶ୍ଚୟ ପୂରଣ ହେବ କାମନା ତୁମର |
କୁନ୍ତୀଦେବୀ ଧୀରେ କହିଲେ-ପ୍ରଭୁ ହେ, ଲୋଡ଼ାନାହିଁ ମୋର ସୁଖ,
ଦେବ ଯଦି ଦିଅ ଏଇ ସଂସାରରେ ଅଛି ଯେତେ ସବୁ ଦୁଃଖ |
ଚକିତ ନୟନେ କହିଲେ-ଶ୍ରୀକୃଷ୍ଣ ଏ' କି ବର ମାଗ ମାତା ?
ଅତୀତରେ କେହି କେବେ ମାଗିନାହିଁ ଦୁଃଖ କଷ୍ଟ କଟୁ-ପିତା ?
ଫେରାଇ ନିଅ ଗୋ, କାମନା ତୁମର ମାଗିନିଅ ଆଉକିଛି,
ମାଗି ନ ପାରିଲେ ମୁହିଁ ଦେଇଦେବି ସବୁ ସୁଖ ବାଛିବାଛି |
କୁନ୍ତୀଦେବୀ ପୁଣି କହିଲେ-ପ୍ରଭୁ ହେ, ତୁମେ ଦୁଃଖିଜନ ସାଥି,
ଦୁଃଖୀ ହୋଇଥିଲେ ତୁମକୁ ସ୍ମରିବି ଦେଖୁଥିବି ଦିନରାତି |
ବୁଝିଲେ ଶ୍ରୀକୃଷ୍ଣ କୁନ୍ତୀ ମନକଥା ତଥାସ୍ତୁ ତଥାସ୍ତୁ କହି,
ନିଜ ରୂପଧରି କୁନ୍ତୀଙ୍କୁ ପ୍ରଣାମ କରିଲେ ପାଦକୁ ଛୁଇଁ |
