କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-55 : ତୁମେ : -ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-55 : ତୁମେ : -ଡକ୍ଟର କୃତ୍ତିବାସ ନାୟକ
ତୁମେ ଥିବାଯାଏ ଗାଆଁଟି ତୁମର ମହାତୀର୍ଥ ଥିଲା ମୋର,
ଏବେ ତୁମେ ଯେଉଁ ସହରରେ ଅଛ ସେଇଟା ତୁମ ମନ୍ଦିର | (ଘୋଷା)
ତୀର୍ଥ ଭ୍ରମଣରେ ଯାଇନାହିଁ ବୋଲି ଥିଲା ମନେ ଅବଶୋଷ,
ଆଜି ଯାଇ ପୂଜା କରିବି ମନ୍ଦିରେ ହେବ ନୂଆ ଇତିହାସ |
ତୁମପାଇଁ କେବେଠାରୁ ମୁଁ ସଜେଇ ରଖିଛି ପୂଜା ସଂଭାର |
ତୁମେ ଥିବାଯାଏ ଗାଆଁଟା ତୁମର ମହାତୀର୍ଥ ଥିଲା ମୋର | (1)
ଘୋରି ରଖିଛି ମୁଁ ପ୍ରୀତିର ଚନ୍ଦନ ଲିପିଦେବି ହୃଦୟରେ,
ପ୍ରେମଫୁଲରେ ମୁଁ ଗୁନ୍ଥିଛି ମାଳାଟି ଲମ୍ବାଇ ଦେବି ଗଳାରେ |
ସଞ୍ଚିତ ମନକୁ ଅର୍ପିବି ତୁମକୁ କାହାରିକୁ ନାହିଁ ଡର |
ତୁମେ ଥିବାଯାଏ ଗାଆଁଟା ତୁମର ମହାତୀର୍ଥ ଥିଲା ମୋର | (2)
ତୁମରି ବନ୍ଦନା କରିବି ମୁଁ ବସି ଗାଇ ତୁମ ଗୁଣଗାନ,
ହସି ହସାଇବି କାନ୍ଦି କନ୍ଦାଇବି କହି ମୋର ଭୁଲାପଣ |
ଶରଣ ପଶି ମୁଁ ଚିରଦିନ ପାଇଁ ରହିବି ହେଇ ତୁମର |
ତୁମେ ଥିବାଯାଏ ଗାଆଁଟା ତୁମର ମହାତୀର୍ଥ ଥିଲା ମୋର | (3)