କବିତା ହିଁ କାହିଁକି ?
କବିତା ହିଁ କାହିଁକି ?
ଲୟ ତାଳ ଛନ୍ଦ ମୟ ପ୍ରେମଦଗ୍ଧ ଗାଥା
ଶବ୍ଦ ନୁହେଁ ଭାବସ୍ନାତ ଜୀଵନ କବିତା
ରସପୂର୍ଣ୍ଣ ମଧୁଝରା ସ୍ୱରବଦ୍ଧ ଗୀତ
ନୀରସ ହୃଦୟେ ଝରେ ସିକ୍ତ ପାରିଜାତ
ଜଡ଼ ମାନବର ଚିତ୍ତେ କମ୍ପନ ସ୍ଫୁରଣ
ବିଦଗ୍ଧ ପାଠକ ବକ୍ଷେ ଉଠେ ଶିହରଣ
ଶବ୍ଦ ସଂଯୋଜନା ସହ ନିଜର ହୃଦୟ
ଥୋଇଦିଏ କାଗଜେ କବି ହୋଇ ତନ୍ମୟ
ଚାରିଧାଡ଼ି ଶବ୍ଦରେ ଗୁନ୍ଥେ ଅସଂଖ୍ୟ କାହାଣୀ
ଆଖିକୋଣୁ ଝରି ଆସେ ମୃଦୁ ବ୍ୟଥା ବାରି
ସିମୀତ ସମୟେ ରଚେ ଅନେକ ଘଟଣା
ଲକ୍ଷସ୍ଥଳ ଦିଶିଯାଏ ହେଲେ ବାଟବଣା
ଶବ୍ଦାର୍ଥ ନଥାଏ ସେଠି ଥାଏ ଅନୁଭବ
ଭାବରେ କବିତା ହୁଏ ସଙ୍ଗୀତେ ପ୍ରଗଳ୍ଭ
କଣ୍ଟକିତ ପଥେ ଭରେ ପୁଷ୍ପର ସୌରଭ
ଜଡ ପ୍ରାଣେ କରିଦିଏ ଚେତନା ଉଦ୍ଭବ
ସତ୍ୟ ସନାତନ ନିତ୍ୟ ଶାଶ୍ୱତ କବିତା
କବି ଓ ପାଠକ ଚିତ୍ତେ ପ୍ରଖର ସରିତା
ସେଥିପାଇଁ କାବିତା ମୋ ସାଥି ଚିରନ୍ତନ
କବିତା ବିନା ନୋହେ ଜୀଵନ ସମ୍ପୂର୍ଣ