STORYMIRROR

Sailendra Jena

Classics

3  

Sailendra Jena

Classics

କବିତା ଛାଡି ଚାଲିଯିବା ପରେ

କବିତା ଛାଡି ଚାଲିଯିବା ପରେ

1 min
252

(୧)

ହାତ ମୋ ଛାଡିବା ଦିନଠୁଁ 

ମୁଁ ତାକୁ କୁଆଡେ ନଖୋଜିଛି,

ତାକୁ ଖୋଜିବା କେତେ ମଧୁମୟ।


ହୃଦୟର ଅନ୍ଧାର କକ୍ଷରେ

ଝରକାର ଛିଦ୍ର ଦେଇ 

ସେ କେବେ କେବେ ଆସେ

ଅମବାସ୍ୟାର ଚନ୍ଦ୍ର ସାଜି।


ଏ ଯନ୍ତ୍ରଣା କଣ ତା ବିରହଜନିତ 

ନା ମୋର ଅହଂପଣ, ଅଭିମାନ

ତାକୁ ହରେଇ ଜୀବନର ପଶାପାଲିରେ

ହାରିଯାଇଛି ବୋଲି ସବୁକିଛି?


(୨)

ଏଇନା ଦେଖିଲି ତୁମକୁ କବିତା

ତୁମେ ବସିଥିଲ ଝରକା ପାଖରେ

ତୁମ ଲଟ ସବୁ ଖସି ପଡୁଥିଲେ 

ଆକାଶରୁ ବର୍ଷା ପରି 

ସମୁଦ୍ର ଭାଙ୍ଗୁଥିଲା ଢେଉ ତୁମର ଆଖିରେ ।


ତୁମେ ଝରକା ଦେଇ 

ଲଟେଇ ଆସିଥିଲ ବାହାରକୁ

ଅନ୍ଧାରରୁ ଆଲୋକ ଆଡକୁ 

ଦେହର ଘାଆକୁ ଖରାରେ ଶୁଖେଇବାକୁ।


ପବନରେ ଉଡୁଥିଲା ତୁମର ଓଢଣୀ 

ମେଜିଆ ଉପରେ ରଙ୍ଗୀନ ପତ୍ରିକାର ଫର୍ଦ୍ଦ 

ଓଲଟି ପଡୁଥିଲା ଆପେ ଆପେ 

ସବୁଠି ଛପିଥିଲା ତୁମର ଚିତ୍ର ।


ଯୌବନରେ ଝିଲିମିଲି ତୁମ ତନୁ 

ଛାତିରୁ ଖସିପଡିଛି ପଣତ 

ବିଶ୍ଵରୂପ, କଟି ବକ୍ଷ ଚିତ୍ରିତ ସେ ଓଠ 

ତୁମେ ପରଶି ଦେଉଥିଲ ବିବିଧ ବର୍ଣ୍ଣାଳି ।


ଅଥଚ ତୁମେ ଥିଲ

ଗୋଟେ ଚିଲ ର ପଞ୍ଝାରେ 

ମୁଠାରେ ଥିଲା ମୁଠାଏ ବାଲି

ଭିଡି ଧରୁଥିଲ କୁଞ୍ଚିତ ଚାଦରକୁ 

ସଞ୍ଚିତ ସତୀତ୍ଵର ଅଗ୍ନୀ ପରୀକ୍ଷାରେ ।


(୩)

ସାଥୀ ମୋର

ତୁମେ କି ବୁଝିବ,

କେତେ କାମନାର 

କମାଣ ଗରଜେ ଏଠି 

ଏ ଫଗୁଣ କାଳେ।


ମୁଁ ଯେ ତୁମର ତୃଷାର୍ତ୍ତ ଭିକ୍ଷୁକ 

ପାଦତଳେ ବିଦୀର୍ଣ୍ଣ ମେଦିନୀ 

ଆଖିର ସାମ୍ନାରେ କେତେ ମରୀଚିକା 

କେତେ ମାୟାମୃଗ।


ମୁଁ ବିଦଗ୍ଧ ତୁମ ପ୍ରତୀକ୍ଷାରେ 

ଦଗ୍ଧୀଭୂତ କାମନା ନିଆଁରେ।


ତୁମେ ମୋତେ ଛୁଅନି କବିତା

ଆସ ନାହିଁ ସ୍ଵପ୍ନରେ ମୋହର 

ମୁଁ ଅସ୍ପୃଶ୍ୟ, କୁରୁସଭାର ପଥର।


ସେଇଠି ଥାଇ ନାଚୁଥାଅ ପୁଚ୍ଛ ଟେକି 

ଫୁଟିଥାଅ ଫୁଲ ହୋଇ 

ମୋ ହାତରୁ ଅପହଞ୍ଚ କଣ୍ଟକିତ ଡାଳେ,

ଫଁ କର ଫଣା ଟେକି 

ମୋ ସହ କେବେ ଭେଟ ହେଲେ ।


ତୁମେ ଛାଡି ଯିବା ପରେ 

ମୁଁ ଯେ ନିର୍ବାସିତ ତୁମ ଅନ୍ଧାରରେ 

ଶବ୍ଦର ଦାରିଦ୍ର୍ୟରେ ଘାଣ୍ଟି ହେଉଅଛି 

ତୁମର ଏ ପାଗଳ ପରଜାପତି 

ତୁମର ଏ ଅଲୋଡା ପ୍ରେମିକ ପ୍ରବର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics