କବିତା ଭିତରେ ଜହ୍ନ
କବିତା ଭିତରେ ଜହ୍ନ
କେବେ ବି କହିନି ତୁମକୁ
ଜହ୍ନ ରାଇଜକୁ ନେବି
ବାଧ୍ୟ କଲେ ସୁଇଜରଲ୍ୟାଣ୍ଡ ନେଇ ପାରିବି
ଯଦି ନ ହୁଏ,ମୁମ୍ବାଇ କି ଗୋଆ
ସେତିକି ପୁଣି ସାମର୍ଥ୍ୟ ଭିତରେ।
କେବେ ବି କହିନି ତୁମକୁ
ଫାଇଭ୍ ଷ୍ଟାର ହୋଟେଲ ରେ ଖୁଆଇବି
ବାଧ୍ୟ କଲେ, କେଣ୍ଡେଲ ଲାଇଟ୍ ଥିବା ହୋଟେଲ
ନଚେତ୍,ରାସ୍ତା କଡ ଢାବା ହୋଟେଲରେ
ତାହା ପୁଣି, ବଜେଟ୍ ଭିତରେ।
କେବେ ହୀରା ମୁଦି ଦେବି କହିନାହିଁ
କିନ୍ତୁ କିଛି ଉପହାର ନିହାତି ଜରୁରୀ ।
କେବେ କହିନି ତୁମ ପାଇଁ ଉତ୍ସବ ପାଳନ
ବରଂ ତୁମ ଜନ୍ମ ଦିନ କେବେ ଭୁଲିବିନି।
ହଁ, ଫୁଲ ଆଣିବା ପାଇଁ ନ କହିଲେ ବି
ନାଲି ଗୋଲାପର ହକଦାର ତୁମେ।
ଅଫିସ୍ ଆସିବା ପାଇଁ କେବେ ମନା ବି କରିନ
ଅଫିସ୍ ଆସି ବି ନିଜକୁ ହଜାଇ ଦେଇନି।
କେବେ ବି କହିନ ପାଖା ପାଖି ରୁହ ସବୁବେଳେ
ବରଂ ପାଖରେ ଅଛି ବୋଲି ଅନୁଭବ ହେଉ।
କେବେ ବି ଡିନର ପାଇଁ ନିର୍ଦ୍ଦେଶ ଦେଇନି
ବରଂ ଚା କପ୍ ଧରି ନିଦରୁ ଉଠାଇବାକୁ କହିଛି।
କେବେ ବି କହିନ ତୁମକୁ ନେଇ କବିତା
ବରଂ ମୋ କବିତା ଭିତରକୁ ଓହ୍ଲାଇ ଆସ
ମୋ କବିତା ପାଇଁ ଶବ୍ଦ ହୋଇ ଯାଅ।
ବାସ୍ତବରେ ତୁମେ ହିଁ ଚନ୍ଦ୍ରମା
ଜହ୍ନ ରାଇଜର ଶୀତଳତା ତୁମରି ପାଖରେ
ଆଉ ଜହ୍ନ କଣ ହେବ।
ତୁମ ହାତ ରନ୍ଧା ହିଁ ହେବ ହୋଟେଲର ମେନୁ
ମୁଦି ନ ଥିଲେ ବି ହାତ ସୁନ୍ଦର ଲାଗିବ
ସବୁଦିନ ହିଁ ଆମ ପାଇଁ ଉତ୍ସବ ହେବ
ଫୁଲର ମହକ ଏବେ ନିଜ ପାଖରେ
ଅଫିସ୍ ହେଉ କି ଘର
ହୃଦୟରେ ନିହାତି ପାଖରେ
ଡିନର ଓ ଚା ଏବେ ସବୁଦିନ
ନିଦ ତ ଅଧିକ ହେବନି ଚା ବି ମିଳିବ
ଆଉ କବିତା ତ ଘର ଭିତରେ,ବଗିଚାରେ
ଘରର ପ୍ରତି କୋଣ ଅନୁକୋଣରେ
କବିତା ଭିତରକୁ ଜହ୍ନ ବି ଆସିବ।