ଝରକା ପାଖର ଜହ୍ନ
ଝରକା ପାଖର ଜହ୍ନ
ମୁଁ ଜହ୍ନ ଦେଖେ
ମୋ ଭିତରେ ଓ ତୁମ ଭିତରେ
ତଥା ତୁମ ଭଳି ଦିଶୁଥିବା ଅନେକଙ୍କ ଭିତରେ।
ଜହ୍ନ ଆଉ କଣ କି ?
ମେଞ୍ଚେ ମାଗି ଆଣିଥିବା ହସ ନୁହେଁ ତ !
ନୁହେଁ ତ ଆଉ କଣ !
ନହେଲେ କଣ ଏମିତି ଦିନଟିଏ ମନ ଖୋଲି ହସି
ବାକି ଦିନ ବୁଡ଼ିଯାନ୍ତା ଉଦାସୀ ଅନ୍ଧାରେ !
କ୍ରମାନ୍ୱୟରେ କ୍ଷୟ ହୋଇ
ଲାଜ ଭୟ ଦୁଃଖ ଓ ସନ୍ଦେହ ଘେରରେ।
କିନ୍ତୁ ତୁମ ଓ ମୋ ଭିତରର ଜହ୍ନ ଅପେକ୍ଷା
ଭାରି ନିଜର ଲାଗେ ସେ ଝରକା ପାଖ ଜହ୍ନ।
କାହିଁ କେବେ ତ ଦେହସୁହା ହୋଇନାହିଁ
କି ଯେତେ ବି ଦେଖିଲେ ମନ ପୁରେନାହିଁ !
ସେ କଣ ଏମିତି ଏକ ଖୁସିର ଖୋରାକ
ଯେବେ ବି ଚାହିଁଲେ ମନ ପ୍ରାଣ ସବୁ ମୋହିନିଏ !
ବୋଧହୁଏ ସେ ଆକାଶର ଜହ୍ନ ଏଥିପାଇଁ ଏତେ ଆକର୍ଷକ
କାରଣ ତା ସହ ମୋ ଅତି ସୁଦୂର ସମ୍ପର୍କ।
ନା ମୁଁ ଦେଖିପାରେ ତା ଦେହର ଭଗ୍ନ ରୂପରେଖ
ନା ସେ ପଢ଼ିପାରେ ମୋ ଭିତରେ ଖୁନ୍ଦା ଥିବା
ଅଜସ୍ର ଛଳନାର ଛାଇ ଓ ସ୍ୱାର୍ଥ ପାଇଁ ଭୋକ।
ଆଉ ଏ ପାଖାପାଖି ବୁଲୁଥିବା ଜହ୍ନମାନେ
ଓଠ ଚାପି ହସୁଥାନ୍ତି
ମୋ ଅସହାୟତାକୁ ଦୋଷୀ କରିଦେଇ।
ପଢ଼ି ବସନ୍ତି ମୋତେ ବିଭିନ୍ନ କୋଣରୁ ଯବ କାଚ ଧରି
ସେମାନଙ୍କ ଭିତରର ନକଲି ହୀରାକୁ
ମୋ ଆଗରେ ଦେଖେଇ ଦେଖେଇ।
ଅବଶ୍ୟ ତୁମ ମାନଙ୍କ ଭିତରେ
ମୁଁ ଯେବେ ତୁମକୁ ଖୋଜି ଖୋଜି ହତୋତ୍ସାହି ହୁଏ
ମୁଁ ବି ଅନୁଭବ କରେ ମୁଁ ଆଉ ମୁଁ ହୋଇ ନାହିଁ
ମୋ ଭିତରର ସେଇ ହଜିଲା 'ମୁଁ ' କୁ ସନ୍ଧାନକରେ
ବୋଧ ହୁଏ ଘଣ୍ଟା ଘଣ୍ଟା ବସିରହି ଝରକା ପାଖରେ
ସେଇ ହସୁଥିବା ଜହ୍ନକୁ ଅନାଇ ଅନାଇ।