କବିତା ଭିତର କାହାଣୀ
କବିତା ଭିତର କାହାଣୀ
କିଏ ଅଛ ହେ ପାଠକ ଆସ ଆସ ପଢ଼
ମୋ କବିତାରେ ବତୁରୁ ଥିବା ରିକ୍ତ କାହାଣୀଟେ
ଶୁଣ ସେ ଶବ୍ଦ ମାନଙ୍କର ଉନ୍ମୁକ୍ତ ସଂଳାପ
ବଖାଣି ବସେ ଯେ ତାର ଅଙ୍ଗେନିଭା ଆତ୍ମଜୀବନୀ
ହୃଦୟର ଶୂନ୍ୟ ପୃଷ୍ଠା ପରେ ।
ଶୁଣିଛି ଯେ କବିତା ପଢ଼ିବା ପାଇଁ ମନଟିଏ ଲୋଡ଼ା
ସେଥିପାଇଁ ମନ ଘେନି ଆସ ହେ ପାଠକ,
ତୁମ କଳ୍ପନାର ଚାରୁ ଚିତ୍ରପଟେ ଆଙ୍କିଦେବି
କିଛି କ୍ଷଣ ବିସ୍ମୃତ ହେବାର ଉଚିତ ଖୋରାକ ।
ଭାବ ନା ମୋ ଭାବନାରେ ତୁମ ପାଇଁ ନାହିଁ ତିଳେ ଭାବ
ତୁମ ପାଇଁ ତ ଲେଖୁଛି ମୁଁ କବିତା ଉତ୍ସାହେ
ତୁମେ ନ ପଢ଼ିଲେ କୁହ ଆଉ କିଏ ଜୀବନ୍ୟାସ ଦେବ ।
କବିତାର ଗବାକ୍ଷରେ ଦେଖ ଅଳସ ଭାଙ୍ଗୁଛି ଲୁଚି
ଗୌର ତନୁଧାରୀ ଏକ ସଲ୍ଲଜ କାହାଣୀ
ଯେ ଡରୁଥାଏ ନିଜ ଆବିଷ୍କାର ପାଇଁ
ଆଉ ଉନ୍ମୋଚନ ପରେ କିନ୍ତୁ ମଥା ଟେକି ବସେ
ସତେ କି ସାର୍ଥକ ତାର ଅମୂଲ୍ୟ ଜୀବନ
ଯା ପାଇଁ କବିଟେ ଲଭେ ଅନ୍ତର୍ମନେ ଅତ୍ୟନ୍ତ ଗୌରବ।