କବି ର ଧମକ୍
କବି ର ଧମକ୍
ଶୁଣିବି ନାହିଁ ମୁଁ ନିର୍ଭୟା ସ୍ୱର
ବଞ୍ଚାଅ,ବଞ୍ଚାଅ ଆର୍ତ୍ତ ଚିତ୍କାର
ଅଲିଭା ରହିଛି ଆସିଫା ସ୍ୱର
ବେବିନା ର ଏହି ମୃତ ଶରୀର
ନ୍ୟାୟ ମାଗୁଛି ଆତ୍ମା ତାହାର
କେବେ ଲିଭିବ ଏ କଳଙ୍କ ଗାର?
ସ୍ୱାଧୀନତା ର ଏ ସ୍ପଷ୍ଟ ଚିତ୍ର ।
ନାରୀ ନିର୍ଯ୍ୟାତନା ବ୍ୟାପ୍ତ ନ କର
ମାଗୁଣି ନୁହେଁ ଏ ତୀବ୍ର ଚିତ୍କାର
କହୁଛି ମୁଁ ଏହା ସତ୍ୟ ତ୍ରିବାର
ନାରୀ ରକ୍ଷା ପାଇଁ ଲେଖନୀ ମୋର
ସଦା ଧାର ଯୁକ୍ତ ଖଡ୍ଗ ପ୍ରକାର
ବୋହିଲେ ବୋହିବ ରକ୍ତ ସାଗର
ଶିର ଛେଦ ହେଉ ଦୁରାଚାରୀ ର ।
ନହେଲେ କମ୍ପିବ ଜଗତ ସାରା
ତିଷ୍ଠିବାକୁ ଜାଗା ଦେବନି ଧରା
ମୁଣ୍ଡରେ ଛିଣ୍ଡିବ ଆକାଶ ଗୋଟି
ପାଦ ତଳୁ ତୋର ଖସିବ ମାଟି
ମିଶିଯିବୁ ତୁହି ଧୂଳି ଧୁସରେ
ନହେଲେ ଜଳିବୁ ଅଗ୍ନିଜ୍ୱାଳାରେ ।
ସଂସାରୁ ଲିଭିବ ନାମ ତୋହର
ଦାଣ୍ଡରେ ଗଡିବ ମୁଣ୍ଡ ଟି ତୋର
ଶରୀର ଖାଇବେ ବୁଲା କୁକୁର
ସମାଜ କରିବ ଛି ଛି କାର
ଦଇବ ଦଣ୍ଡିବ ଶହଶ୍ର ବାର ।
ନ 'ଦଣ୍ଡିଲେ ,ଧରା ହେବ ଦିଇ ଫାଳ
ପଶିବୁ ତହିଁରେ ହେବ ତୋ କାଳ
ମଲାବେଳେ ପାଇବୁନି ତୁ ଜଳ
ମୁକ୍ତି ବିନା ତୁହି ହେବୁ ଚଣ୍ଡାଳ
ବେକରେ ପିନ୍ଧିବୁ ଚପଲ ମାଳ
ଧରିତ୍ରୀ ହସିବ ଦେଖି ତୋ କାଳ ।